Categories: ବାଣିଜ୍ୟ

ଅଂଶଧନ କିଣିବାକୁ ଅନୁରୋଧ କଲା ଏଟିହାଦ, ବ୍ୟାଙ୍କ ସମୁହ; ଜେଟ୍‌ ପାଇଁ ହିନ୍ଦୁଜା ଭ୍ରାତାଙ୍କୁ ଗୁହାରି

ନୂଆଦିଲ୍ଲୀ,୧୬।୫: ଜେଟ୍‌ ଏୟାରଓ୍ବେଜ ପାଇଁ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଏବେ ଶେଷ ଆଶା ହୋଇଛନ୍ତି। କମ୍ପାନୀ ବଡ଼ ଆକାରର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଓ୍ବେଜ ଏବଂ ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ ସମୂହ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ଲାଗି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବଡ଼ କମ୍ପାନୀ ଆଗେଇ ଆସିନାହାନ୍ତି। ଆବୁଧାବୀର ଏୟାରଲାଇନ୍ସ କମ୍ପାନୀ ଏଟିହାଦ ସମେତ ୩ କମ୍ପାନୀ ବିଡ଼୍‌ ଦାଖଲ କରିଛନ୍ତି ସତ ସେମାନେ ବଡ଼ ଆକାରର ନିବେଶ ଲାଗି ଆଗ୍ରହୀ ନ ଥିବା ଜଣାଇ ଦେଇଛନ୍ତି। ଏହି କାରଣରୁ ଏବେ ଜେଟ୍‌ରେ ନିବେଶଲାଗି ଇଚ୍ଛୁକ କମ୍ପାନୀ କିମ୍ବା ଗ୍ରୁପ୍‌କୁ ଖୋଜିବା ଉଦ୍ୟମ ଆରମ୍ଭ ହୋଇଛି। ତେବେ ହିନ୍ଦୁଜା ଭ୍ରାତା ଜେଟ୍‌ରେ ନିବେଶ ଲାଗି କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଅନ୍ୟପକ୍ଷରେ ଏଟିହାଦର ପ୍ରତିନିଧିମାନେ ହିନ୍ଦୁଜା ଭ୍ରାତାଙ୍କ ମଧ୍ୟରେ ବଡ଼ ଜେ.ପି. ହିନ୍ଦୁଜାଙ୍କ ସହ ଯୋଗାଯୋଗ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଜେଟ୍‌ରେ ନିବେଶ ନେଇ ସେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ହିନ୍ଦୁଜା ଗ୍ରୁପ୍‌ର ପରିଚାଳନା ଦାୟିତ୍ୱ ଜେ.ପିଙ୍କ ହାତରେ ରହିଛି। ନିବେଶ ସମ୍ପର୍କରେ ସବୁ ଶୁଣିବା ପରେ ଜେ.ପି. ତାଙ୍କ ସାନଭାଇ  ଅଶୋକ ହିନ୍ଦୁଜାଙ୍କ ନିକଟକୁ ଏଟିହାଦ ପ୍ରତିନିଧିଙ୍କୁ ପଠାଇ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜରେ ନିବେଶ ଲାଗି ହିନ୍ଦୁଜା ଗ୍ରୁପ୍‌ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି, କିନ୍ତୁ ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି। ଆଗାମୀ ଦିନରେ ସେମାନେ ଏଟିହାଦ ଓ ବ୍ୟାଙ୍କ କନ୍‌ସୋର୍ଟିୟମ ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିଲାଗି ଦିନ ଧାର୍ଯ୍ୟ ହୋଇନାହିଁ। ସୂଚନାଥାଉ କି, ସାରା ବିଶ୍ୱରେ ହିନ୍ଦୁଜା ଗ୍ରୁପ୍‌ ଅଟୋମୋଟିଭ, ଅଏଲ ଆଣ୍ଡ ସ୍ପେଶିଆଲିଟି କେମିକାଲ୍ସ, ମିଡିଆ, ଆଇଟି, ପାଓ୍ବାର, ହେଲ୍‌୍‌ଥକେୟର ଏବଂ ରିଏଲ ଇଷ୍ଟେଟ୍‌ ଆଦି ୧୦ ସେକ୍ଟରରେ ବ୍ୟବସାୟ କରୁଛନ୍ତି। ବିକ୍ରି ଦୃଷ୍ଟିରୁ ଭାରତରେ ଏକ ନମ୍ବର ସ୍ଥାନରେ ଥିବା ଟ୍ରକ କମ୍ପାନୀ ଅଶୋକ ଲେଲ୍ୟାଣ୍ଡର ମାଲିକାନା ହିନ୍ଦୁଜା ଗ୍ରୁପ୍‌ ନିକଟରେ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ଜେଟ୍‌ର ପୁନରୁଦ୍ଧାର ଲାଗି ହିନ୍ଦୁଜା ଗ୍ରୁପ୍‌ ନିକଟରେ ପର୍ଯ୍ୟାପ୍ତ ଅର୍ଥ ରହିଛି।

Share