ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ


ଭୋଗରାଇ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ରସଲପୁର ଗ୍ରାମର ସତ୍ୟେନ୍ଦ୍ର ଜେନା (୫୨) ସୋମବାର ମଧ୍ୟାହ୍ନରେ ବିଲକୁ ଯାଇ ଥିବାବେଳେ ଅସହ୍ୟ ଗୁଳୁଗୁଳି ଓ ଖରାରେ ସେଠାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରି ୧୦୮ ଯୋଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋଗରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଚାଷୀଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।