ଅଂଶୁଘାତ ଆଶଙ୍କା, ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଲଢ଼େଇ ଜାରି ରଖିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଅଂଶୁଘାତ ଆଶଙ୍କା ଦେଖାଦେଇଥିବାରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ତଥା ସ୍ପେଶାଲ ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି।
ପ୍ରତିବର୍ଷ ଗ୍ରୀଷ୍ମଋତୁରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏଥର କରୋନା ଲଢ଼େଇ ସହ ଅଂଶୁଘାତ ମୁକାବିଲା ବଡ଼ ଚ୍ୟାଲେଞ୍ଜ ହେବ। ପୁଣି ଏବର୍ଷ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଏହାର ପ୍ରଭାବ କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କ ଉପରେ ପଡ଼ିବ। ଗତ କିଛିଦିନ ହେଲା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ଲଗାତର ବୃଦ୍ଧି ପାଇ ୪୦ ଡିଗ୍ରୀ ଡେଇଁଛି। ଏପରିସ୍ଥିତି ଲାଗି ରହିଲେ ଭାରତୀୟ ପାଣିପାଗ ବିଭାଗ ଏହାକୁ ଗ୍ରୀଷ୍ମପ୍ରବାହ ଭାବେ ଘୋଷଣା କରିପାରନ୍ତି। ଜିଲାପାଳମାନେ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏଥିସହ ଜଡ଼ିତ ବିଭାଗଗୁଡ଼ିକୁ ନେଇ ନିୟମିତ ଜିଲା, ସବ୍‌ଡିଭିଜନ ଓ ବ୍ଲକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଜନା-୨୦୨୦ ପାଇଁ ଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ନେଇ ଆଲୋଚନା କରାଯିବା ଆବଶ୍ୟକ। ନଚେତ କରୋନା ମୁକାବିଲା ସମୟରେ ଗ୍ରୀଷ୍ମପ୍ରବାହ ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ଓସ୍‌ଡମା ପକ୍ଷରୁ ପୂର୍ବରୁ ଜିଲାପାଳମାନଙ୍କୁ ଗ୍ରୀଷ୍ମପ୍ରବାହ ଯୋଜନା ସଂକ୍ରାନ୍ତରେ ଅବଗତ କରାଯାଇଛି। ବିଭିନ୍ନ ବିଭାଗ ସମନ୍ବୟ ରକ୍ଷା କରି କିଭଳି ପଦକ୍ଷେପ ଗ୍ରହଣ କରିବେ ତାହା ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଅଂଶୁଘାତ ମୁକାବିଲା କାର୍ଯ୍ୟରେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସେ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

Share