ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୧୦ଟି ଜିଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏପିରି କି ପାରଦ ୪୭ଡିଗ୍ରୀ ସେଲସିୟସ ନିକଟକୁ ଚାଲିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ବିଭାଗ ପକ୍ଷରୁ କେତେକ ଜିଲାରେ ୟେଲୋ ଏବଂ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ରବିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦେଖି ପରିସ୍ଥିତିର ସମୀକ୍ଷା କରିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଜଳ ଯୋଗାଣ ଅଭାବକୁ ଦୃଷ୍ଟିରେ ରଖି ତୁରନ୍ତ ଅଚଳ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସଙ୍କଟ ଥିବା ଅଞ୍ଚଳରେ ପାଣି ଟ୍ୟାଙ୍କର ଏବଂ ପାନୀୟ ଜଳ କେନ୍ଦ୍ର ସ୍ଥାପନ କରି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଂଶୁଘାତ ପ୍ରସ୍ତୁତି ଓ ପରିସ୍ଥିତି ବିଷୟରେ ନିୟମିତ ଭାବେ ଜଣାଇବାକୁ କୁହାଯାଇଛି।

Share