ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୫ବର୍ଷ କାମ କରୁଥିବା ସମୟରେ ବାଘର ବାସସ୍ଥାନ ସୁରକ୍ଷା, ମହାନଦୀ କୂଳରେ ଘଡ଼ିଆଳର ପୁନରୁଦ୍ଧାର, ସ୍ଥାନୀୟ ଲୋକଙ୍କୁ ନେଇ ଇକୋଟୁରିଜମ୍‌ ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ସେ ରାଜ୍ୟ ଇକୋଟୁରିଜମ୍‌ର ଡିଏଫ୍‌ଓ ଭାବେ କାର୍ଯ୍ୟରତ। ଆସନ୍ତା ୮ତାରିଖରେ ନୂଆଦିଲ୍ଲୀରେ ଅଂଶୁପ୍ରଜ୍ଞାଙ୍କ ସମେତ ମୋଟ ୮ଜଣଙ୍କୁ ଏହି ପୁରସ୍କାର ଦିଆଯିବ। ମିଳିତ ଜାତିସଂଘର ସହକାରୀ ସଚିବ ତଥା ଜୈବ ବିବିଧତା ସମ୍ମିଳନୀର କାର୍ଯ୍ୟନିର୍ବାହୀ ସଚିବ ଏଲିଜାବେଥ୍‌ ମାରୁମା ମ୍ରେମା, ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ଏବଂ ବ୍ରିଟିଶ ଅର୍ଥନୀତିଜ୍ଞ ତଥା ଜଳବାୟୁ ପରିବର୍ତ୍ତନ କର୍ତ୍ତୃପକ୍ଷ ନିକୋଲାସ ଷ୍ଟର୍ନ ପ୍ରମୁଖ ଉପସ୍ଥିତ ରହି ପ୍ରତିଭାଙ୍କୁ ପୁରସ୍କୃତ କରିବେ।
ଅଂଶୁପ୍ରଜ୍ଞା ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନେଇ ନାଟ୍‌ୱେଷ୍ଟ ଗ୍ରୁପ୍‌ ପକ୍ଷରୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖି ଜଣାଯାଇଛି। ଗ୍ରୁପ୍‌ ନିର୍ଦ୍ଦେଶକ ଏନ୍‌. ସୁନୀଲ କୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ, ଅଂଶୁପ୍ରଜ୍ଞା ଦାସଙ୍କ କାର୍ଯ୍ୟ ତଥା ସ୍ବୀକୃତି ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତାର ନିରନ୍ତର ପରିଚାଳନା ପାଇଁ ଓଡ଼ିଶାରେ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଅଂଶୁପ୍ରଜ୍ଞାଙ୍କୁ ତାଙ୍କ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Share