Categories: ବାଣିଜ୍ୟ

ଅଂଶୁଲା କାନ୍ତ ହେବେ ବିଶ୍ୱବ୍ୟାଙ୍କ ଏମ୍‌ଡି

ନୂଆଦିଲ୍ଲୀ,୧୩।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏମ୍‌ଡି ଅଂଶୁଲା କାନ୍ତଙ୍କୁ ବିଶ୍ୱ ବ୍ୟାଙ୍କର ଏମ୍‌ଡି ତଥା ଚିଫ୍‌ ଫାଇନାନସିଆଲ ଅଫିସର(ସିଏଫ୍‌ଓ) ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ ମାଲ୍‌ପାସ୍‌ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଅନ୍ତଃରାଷ୍ଟ୍ରୀୟ ବ୍ୟାଙ୍କର ଫାଇନାନ୍‌ସିଆଲ ଏବଂ ରିସ୍କ ମ୍ୟାନେଜମେଣ୍ଟ ଦାୟିତ୍ୱ ଅଂଶୁଲା ସମ୍ଭାଳିବେ ବୋଲି ସେ କହିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କର ସିଏଫଓ ଭାବେ ଆର୍ଥିକ, ବ୍ୟାଙ୍କିଙ୍ଗ୍‌ ଏବଂ କାର୍ଯ୍ୟକ୍ଷେତ୍ରରେ ନବୀନ ଟେକ୍ନୋଲୋଜିର ବ୍ୟବହାର କରିବାରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି ବୋଲି ମାଲ୍‌ପାସ୍‌ କହିଛନ୍ତି। ସେ ବ୍ୟାଙ୍କର ୩୮ ବିଲିୟନ ଡଲାର ରାଜସ୍ବ ଏବଂ ୫୦୦ ବିଲିୟନ ଡଲାର ମୋଟ ସମ୍ପତ୍ତିର ହିସାବ ରଖୁଥିଲେ। ପରେ ତାଙ୍କୁ ଏସ୍‌ବିଆଇର ଏମ୍‌ଡି ଭାବେ ନିଯୁକ୍ତ କରାଯାଇଥିଲା। ନିଜର କାର୍ଯ୍ୟ ପରିସର ଭିତରେ ରିସ୍କ ମ୍ୟାନେଜମେଣ୍ଟ, ଟ୍ରେଜେରି, ଫଣ୍ଡିଙ୍ଗ, ରେଗୁଲେଟୋରି କମ୍ପ୍ଲାଏନ୍ସ ଏବଂ ଅପରେଶନ କ୍ଷେତ୍ରରେ ଅଂଶୁଲାଙ୍କ ବିବିଧତାଭରା ନେତୃତ୍ୱ ରହିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଉପରୋକ୍ତ ଦାୟିତ୍ୱ ବ୍ୟତୀତ ବିଶ୍ୱ ବ୍ୟାଙ୍କର ଫାଇନାନ୍‌ସିଆଲ ରିପୋର୍ଟିଂ ତଥା ମୋବିଲାଇଜେଶନ ଅଫ୍‌ ଆଇଡିଏ ଓ ଅନ୍ୟାନ୍ୟ ଆର୍ଥିକ ସାଧନ ପ୍ରତି ସେ ଦୃଷ୍ଟିଦେବେ ବୋଲି ମାଲ୍‌ପାସ୍‌ କହିଛନ୍ତି। ଦିଲ୍ଲୀର ଲେଡି ଶ୍ରୀ ରାମ ମହିଳା କଲେଜରୁ ସେ ଇକୋନୋମିକ ଅନର୍ସରେ ଗ୍ରାଜୁଏଟ ହେବା ପରେ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ।

Share