Categories: ଖେଳ

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟପ୍‌ ସିଡ, ଅଲ୍‌ ଇଣ୍ଡିଆ ୨୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଓଡ଼ିଶାର ଅଂଶୁ କୁମାର ଭୂୟଁା ରନର୍ସଅପ୍‌ ହୋଇଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ କ୍ୱାଲିଫାୟର ତଥା ତେଲେଙ୍ଗାନାର ଜି. ସାଇ କାର୍ତ୍ତିକ ରେଡ୍ଡୀଙ୍କଠାରୁ ୩-୬, ୩-୬ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଅଂଶୁ କୁମାର ଏବଂ ତାଙ୍କ ପାର୍ଟନର କବୀର ହଂସ ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇପାରିଛନ୍ତି। ଏହି ଯୋଡ଼ି ଟପ୍‌ ସିଡ୍‌ ସିଦ୍ଧାର୍ଥ ଆର୍ଯ୍ୟ (ତାମିଲନାଡୁ) ଏବଂ ତାଙ୍କ ପାର୍ଟନର ଭିଲାସିର୍‌ ଖାଟେ (ହରିୟାଣା)ଙ୍କୁ ଏକ ରୋମାଞ୍ଚକ ଡବଲ୍ସ ଫାଇନାଲରେ ୭-୫, ୪-୬ (୧୦-୪)ରେ ହରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରାୟୋଜିତ ଏହି ଟୁର୍ନାମେଣ୍ଟରେ ୧୬ଟି ରାଜ୍ୟର ମୋଟ ୫୨ ଖେଳାଳି ଅଂଶଗ୍ରହଣ କରିଥିଲେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ଫାଇନାଲିଷ୍ଟଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ରେଫରି ଯତୀନ ବତ୍ସ୍ୟ, ମ୍ୟାନେଜର ଓଟିଏ ପ୍ରକାଶ ପଟ୍ଟନାୟକ ଏବଂ ଗୁରୁକୁଳ ରିସୋର୍ଟ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟର ସିଙ୍ଗଲ୍ସ ବିଜେତା ଓ ରନର୍ସଅପ୍‌ ଯଥାକ୍ରମେ ୧୨,୫୦୦ ଓ ୮,୪୦୦ ଟଙ୍କା ସହିତ ୨୦ ଓ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିପାରିଛନ୍ତି। ସେହିପରି ଡବଲ୍ସ ଚାମ୍ପିୟନ ଓ ରନର୍ସଅପ୍‌ ଯଥାକ୍ରମେ ୧୫ ଓ ୧୦ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଯଥାକ୍ରମେ ୬,୨୦୦ ଓ ୩,୮୦୦ ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ।

Share