Categories: ବାଣିଜ୍ୟ

ଅକ୍ଟୋବରରୁ ନୂଆ ଜିଏସ୍‌ଟି ରିଟର୍ନ ଦାଖଲ ବ୍ୟବସ୍ଥା

ନୂଆଦିଲ୍ଲୀ,୧୨ା୬ ଆସନ୍ତାବର୍ଷ ଜାନୁୟାରୀରୁ ସାରା ଦେଶରେ ବ୍ୟବସାୟୀମାନେ ସରଳ ଜିଏସ୍‌ଟି ଫର୍ମ ପୂରଣ କରିପାରିବେ। ତେବେ ଏହାର ଟ୍ରାୟାଲ ଜୁଲାଇରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ନୂଆ ମାସିକ ରିଟର୍ନ ଫର୍ମ ବ୍ୟବସ୍ଥା ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ପୁରୁଣା ରିଟର୍ନ ଫର୍ମ ଜିଏସ୍‌ଟିଆର୍‌-୩ବିକୁ ପ୍ରଚଳନରୁ ବାଦ୍‌ ଦିଆଯିବ ଏବଂ ଏହା ସ୍ଥାନରେ ଆସନ୍ତାବର୍ଷ ଜାନୁୟାରୀରୁ ଜିଏସ୍‌ଟି ଆର୍‌ଇଟି-୧ ଫର୍ମକୁ ଲାଗୁ କରାଯିବ।
ନୂଆ ବ୍ୟବସ୍ଥାରେ ଜିଏସ୍‌ଟି ଆରଇଟି-୧ ଏକ ମୁଖ୍ୟ ରିଟର୍ନ ଫର୍ମ ହେବ। ଅନ୍ୟପକ୍ଷରେ ଦୁଇଟି ସଂଲଗ୍ନ ଫର୍ମ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଏବଂ ଜିଏସ୍‌ଟି ଏଏନ୍‌ଏକ୍ସ-୨ ରହିବ। ଟିକସଦାତାଙ୍କ ଲାଗି ଚଳିତବର୍ଷ ୩ ମାସ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଏବଂ ଜିଏସ୍‌ଟି ଏଏନ୍‌ଏକ୍ସ-୨ ଫର୍ମର ଟ୍ରାୟାଲ ଲାଗି ଉପଲବ୍ଧ ହେବ। ଏହି ଅବଧିରେ ଟିକସଦାତାଙ୍କୁ ପିଛିଲା ଅବଧିର ଟିକସ ଦେୟ ଏବଂ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟର ପ୍ରଭାବ ପଡ଼ିବ ନାହିଁ। ଏହି ଅବଧିରେ ସେ ଆପୂର୍ତ୍ତି ଲାଗି ମାସିକ ଅଥବା ତ୍ରୈମାସିକ ଆଧାରରେ ଜିଏସ୍‌ଟିଆର୍‌-୧ ଏବଂ ମାସିକ ଆଧାରରେ ଜିଏସ୍‌ଟିଆର୍‌-୩ବିର ଅନୁପାଳନ କରିଚାଲିବେ। ଯୋଜନା ମୁତାବକ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବାର୍ଷିକ କାରବାର କରୁଥିବା ଟିକସଦାତା ଅକ୍ଟୋବରରୁ ନିଜର ମାସିକ ରିଟର୍ନ ଇନ୍‌ଭଏସ୍‌ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ଅପଲୋଡ କରିବେ। ସେହିଭଳି ଭାବେ, ୫ କୋଟି ଟଙ୍କାରୁ କମ୍‌ ବାର୍ଷିକ କାରବାର କରୁଥିବା କ୍ଷୁଦ୍ର ଟିକସଦାତା ଜାନୁୟାରୀ, ୨୦୨୦ରୁ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ତ୍ରୈମାସିକ ଆଧାରରେ ପୂରଣ କରିବା ବାଧ୍ୟତାମୂଳକ ହେବ।

Share