Categories: ବାଣିଜ୍ୟ

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ମଧ୍ୟ ସମାନ ସଙ୍କଟ ଦେଖାଦେଇଛି। କମ୍ପାନୀ ନିକଟରେ ଅକ୍ଟୋବର ପରେ କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ। ଦୁଇ ଜଣ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏୟାର ଇଣ୍ଡିଆ ପାଇଁ ୭ ହଜାର କୋଟି ଟଙ୍କା ବାବଦରେ ସଭରେନ ଗ୍ୟାରେଣ୍ଟି ଦେଇଥିଲେ। ଏବେ କମ୍ପାନୀ ନିକଟରେ ୨୫୦୦କୋଟି ଟଙ୍କା ଅବଶିଷ୍ଟ ରହିଛି। ଏହା ଖୁବ୍‌ଶୀଘ୍ର ଖର୍ଚ୍ଚ ହୋଇଯିବ। ଅନ୍ୟଜଣେ ଅଧିକାରୀ କହିଛନ୍ତି ଯେ, ତୈଳ କମ୍ପାନୀ, ଏୟାରପୋର୍ଟ ଅପରେଟର ଓ ଅନ୍ୟ ଭେଣ୍ଡରଙ୍କ ବକେୟା ପ୍ରଦାନ କରିବା ଏବଂ କିଛି ମାସର ଦରମା ଦେବା ଲାଗି ଏହି ଅର୍ଥକୁ ରଖାଯାଇଛି। ଦରମା ବାବଦରେ ଏୟାର ଇଣ୍ଡିଆ ପ୍ରତି ମାସରେ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଏବେ ଦରମା ଦେବା ମଧ୍ୟ ବିଳମ୍ବିତ ହେବାରେ ଲାଗିଛି। ଏପରିକି ମେ’ର ଦରମା ୧୦ ଦିନ ବିଳମ୍ବରେ ଦିଆଯାଇଥିଲା। ସୂଚନାଥାଉ କି, ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆ ବକେୟା ଋଣ ବାବଦରେ ପ୍ରାୟ ୯ ହଜାର କୋଟି ଟଙ୍କା ପରିଶୋଧ କରିବାକୁ ପଡିବ। କିନ୍ତୁ କମ୍ପାନୀ ନିକଟରେ ଏତେ ବିଶାଳ ପରିମାଣର ଅର୍ଥ ନାହିଁ। ଏଥିପାଇଁ କମ୍ପାନୀ ସରକାରଙ୍କଠାରୁ ସହାୟତା ମାଗିଛି। ତେବେ ଏହା ଗ୍ରହଣଯୋଗ୍ୟ ହେବ କି ନା ଏବେ କହିହେବ ନାହିଁ। କମ୍ପାନୀ ବଜେଟ ଉପରେ ନିର୍ଭର କରୁଛି।

Share