Categories: ଜାତୀୟ

ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ବିରୋଧରେ ଗଣଆନ୍ଦୋଳନ ଆହ୍ବାନ

ନୂଆଦିଲ୍ଲୀ,୨୬ା୮(ପି.ଟି.): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବାବେଳେ ଏହିଦିନକୁ ସ୍ମରଣୀୟ କରିବା ପାଇଁ ଭାରତକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଦିଓ୍ବାଲି ପୂର୍ବରୁ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଏକତ୍ର କରିବାକୁ ରବିବାର ମୋଦି ତାଙ୍କର ପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ଜରିଆରେ ମ୍ୟୁନିସିପାଲିଟି, ଜିଲା ପ୍ରଶାସନ, ଗ୍ରାମ ପଞ୍ଚାୟତ, ଏନ୍‌ଜିଓ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କର୍ପୋରେଟ ସେକ୍ଟରଗୁଡିକୁ ପରାମର୍ଶ ଦେଇଛନ୍ତି। ରିସାଇକ୍ଲିଂ ପ୍ରକ୍ରିୟାରେ ସେଗୁଡିକୁ ଇନ୍ଧନରେ ପରିଣତ କରାଯାଇପାରିବ। ତେଣୁ ନିରାପଦର ସହ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ମୁକ୍ତ ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରିବେଶର ସୁରକ୍ଷା ଲାଗି ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ବର୍ଜନ କରିବା ପାଇଁ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିବାବେଳେ ରବିବାର ଏହା ବିରୋଧରେ ଗଣ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। ସେପ୍ଟେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ‘ସ୍ବଚ୍ଛତା ହିଁ ସେବା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରକୃତି ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ପୋଷଣ ଅଭିଯାନ ସମ୍ପର୍କରେ କହିବା ସହ ଏଥିରେ ଜନସାଧାରଣଙ୍କ ଯୋଗଦାନ ପାଇଁ ମୋଦି ଆହ୍ବାନ ଦେଇଥିଲେ। ସେହିପରି ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଫିଟ୍‌ ଇଣ୍ଡିଆ ଆନ୍ଦୋଳନ’ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ବିଅର ଗ୍ରିଲ୍ସ ସହ ତାଙ୍କର କଥୋପକଥନ ଟେକ୍ନୋଲୋଜି ଯୋଗୁ ସମ୍ଭବ ହୋଇଥିବା ମୋଦି କହିଛନ୍ତି।

Share