ଅକ୍ଟୋବର ୩ ଯାଏ ଗ୍ରହଣ ହେବ ଆପତ୍ତି ଅଭିଯୋଗ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଏକ ନିର୍ଭୁଲ ଚାଷୀମାନଙ୍କ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ଉପରେ ସମବାୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁତ୍ୱାରୋପ କରିଛନ୍ତି।
ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ଚଳିତ ମାସ ୧୭ରେ ଶେଷ ହୋଇଛି। ସଂଗୃହୀତ ଦରଖାସ୍ତଗୁଡ଼ିକର ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସ୍‌ରେ ଅନ୍‌ଲାଇନ୍‌ ପ୍ରକ୍ରିୟାରେ କମ୍ପ୍ୟୁଟରୀକୃତ (ଡିଜିଟାଇଜେସନ୍‌) କରାଯିବା କାର୍ଯ୍ୟ ଗତ ୨୨ରେ ସମାପ୍ତ ହୋଇଛି। ପଞ୍ଜିକୃତ ଚାଷୀମାନେ ଖରିଫ୍‌ ଧାନ ଚାଷ କରିଥିବା ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯିବ। ଏହି ତଥ୍ୟ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରୁଥିବା ସଂପୃକ୍ତ ସମିତି, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଣ୍ଟ୍ରୋଲ୍‌ ଦୋକାନରେ ସେପ୍ଟେମ୍ବର ୨୫ରୁ ୩୦ ମଧ୍ୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଉଛି। ସବିଶେଷ ତଥ୍ୟ ସଂପୃକ୍ତ ପଞ୍ଜୀକରଣକାରୀ ପ୍ୟାକ୍ସ/ଲ୍ୟାମ୍ପସ୍‌ ଆଦିରେ ଉପଲବ୍ଧ କରାଯିବ ଏବଂ ପଞ୍ଜୀକୃତ ଚାଷୀ ଓ ସର୍ବସାଧାରଣ ତାହା ନିରୀକ୍ଷଣ କରିପାରିବେ। ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହେଉଥାଏ, ତତ୍‌ସମ୍ବନ୍ଧୀୟ ଅଭିଯୋଗ ଯେ କୌଣସି ନାଗରିକ ସଂପୃକ୍ତ ପ୍ରକାଶନ ସ୍ଥଳରେ ଆସନ୍ତା ଅକ୍ଟୋବର ୩ ତାରିଖ ସୁଦ୍ଧା ଦରଜ କରିପାରିବେ।
ଆପତ୍ତି କରିବା ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରକାଶନ ସ୍ଥଳରେ ଉପଲବ୍ଧ ହେଉଛି। ଆଗ୍ରହୀ ନାଗରିକଙ୍କୁ ସବିଶେଷ ପଞ୍ଜୀକୃତ ତଥ୍ୟ ଜାଣିବା ପାଇଁ ପ୍ୟାକ୍ସ/ଲ୍ୟାମ୍ପସ୍‌ ଆଦି ଆବଶ୍ୟକୀୟ ସୁଯୋଗ ଦେବେ। ସମିତି ସଂପାଦକ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ କଣ୍ଟ୍ରୋଲ୍‌ ଡିଲର ଅଭିଯୋଗକାରୀଙ୍କ ଦସ୍ତଖତ ସମ୍ବଳିତ ଆପତ୍ତି ପତ୍ର ପ୍ରାପ୍ତିସ୍ବୀକାର ସହ ଗ୍ରହଣ କରିବେ ବୋଲି ଜଣାପଡିଛି।

Share