Categories: ଜାତୀୟ

ଅକ୍ଟୋବର ୪ରେ ସିଭିଲ ସର୍ଭିସ ପ୍ରିଲିମ୍‌

ନୂଆଦିଲ୍ଲୀ,୫ା୬(ପି.ଟି.)-ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଅକ୍ଟୋବର ୪ରେ ଅନୁଷ୍ଠିତ ହେବ। କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା ୨୦୨୧ ଜାନୁୟାରୀ ୮ରୁ ଆରମ୍ଭ ହୋଇ ୫ ଦିନ ଚାଲିବ। ଏହାବ୍ୟତୀତ ଗତବର୍ଷ ସିଭିଲ୍‌ ସର୍ଭିସ ପ୍ରିଲିମ୍‌ ଏବଂ ମୁଖ୍ୟ ପରୀକ୍ଷା ମାଧ୍ୟମରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ବ୍ୟକ୍ତିତ୍ୱ ପରୀକ୍ଷା (ଭାଏଭା) ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଅବଶିଷ୍ଟ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ସମ୍ପର୍କରେ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ପ୍ରିଲିମ୍‌ ପରୀକ୍ଷା ମେ’ ୩୧ରେ କରାଇବା ଲାଗି କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ତେବେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା ହେବାରୁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ସାନି ତାରିଖ ଘୋଷଣା ହୋଇଥିବାରୁ ଏହା ବାତିଲ ହୋଇଯିବ ବୋଲି ପୂର୍ବରୁ କେତେକ ମହଲରେ ଯେଉଁ ଆଶଙ୍କା କରାଯାଉଥିଲା ତାହା ଦୂର ହୋଇଛି ବୋଲି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି।
ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସ୍‌ ପରୀକ୍ଷା ହୋଇଥାଏ। ତାହା ହେଲା ପ୍ରିଲିମ୍‌, ମୁଖ୍ୟ ପରୀକ୍ଷା ଓ ସାକ୍ଷାତ୍‌କାର। ଏହି ପରୀକ୍ଷା ମାଧ୍ୟମରେ ୟୁପିଏସ୍‌ସି ଭାରତୀୟ ପ୍ରଶାସିନକ ସେବା (ଆଇଏଏସ୍‌), ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଆଦି ଲାଗି ପ୍ରାର୍ଥୀ ଚୟନ କରିଥାଏ। ପ୍ରତିବର୍ଷ ଲକ୍ଷାଧିକ ଆଶାୟୀ ଏହି ପରୀକ୍ଷା ଦେଇଥାନ୍ତି।

Share