‘ଅକ୍ଷରଧାମ’ରେ ବିରାଜିବେ ମା’

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍‌ ତୋରଣ ସାଙ୍ଗକୁ ଆଖି ଝଲସା ସାଜସଜ୍ଜାକୁ ନେଇ ରାଜଧାନୀର ବିଭିନ୍ନ ମଣ୍ଡପଗୁଡ଼ିକ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ତେବେ ଏହି ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଯାଇନି ବରମୁଣ୍ଡା ଦୁର୍ଗାପୂଜା କମିଟି। ଏଠାରେ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଆସୁଥିବା ବେଳେ ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ଅନେକ ନୂଆ ପଦକ୍ଷେପମାନ ନିଆଯାଇଛି। ଚଳିତବର୍ଷ ଏଠାରେ ୧୨୦ଫୁଟ ଉଚ୍ଚ ଏବଂ ୭୫ଫୁଟ ଚଉଡାର ‘ଅକ୍ଷର ଧାମ’ ସଦୃଶ ବିଶାଳ ତୋରଣ ଦୁର୍ଗାପୂଜାର ଶୋଭାବର୍ଦ୍ଧନ କରିବ।
୨୦୦୦ ମସିହାରୁ ପୂଜା ଆରମ୍ଭ କରିଥିବା ଏହି ପୂଜା କମିଟି ଏଥର ୧୯ବର୍ଷରେ ପଦାର୍ପଣ କରିଛି। ଭିନ୍ନ ଭିନ୍ନ ଡିଜାଇନ୍‌ ସହ ଗୁଆ, ଲେମ୍ବୁ, କଉଡ଼ି ଭଳି ସାମଗ୍ରୀରେ ତୋରଣ ତିଆରି କରି ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ ଏହି ପୂଜାମଣ୍ଡପ। ତେବେ,ଏଥର ଗୁଜରାଟ ଗାନ୍ଧୀନଗରରେ ଥିବା ପ୍ରସିଦ୍ଧ ‘ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର’ ଆକୃତିର ତୋରଣ ନିର୍ମାଣ କରି ପୂଜାର ଆକର୍ଷଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛି କମିଟି। ପଶ୍ଚିମବଙ୍ଗରୁ ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଦକ୍ଷ କାରିଗର ଏହି ତୋରଣ ନିର୍ମାଣ କରିଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଧ୍ୟ ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ୧୬ଫୁଟରେ ନିର୍ମିତ ହେବାକୁ ଥିବା ମା’ଙ୍କ ମୂର୍ତ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇର ୬ଜଣ କାରିଗର ନିର୍ମାଣ କରିବେ। ସେହିଭଳି ରଙ୍ଗିନ ଆଲୋକମାଳାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସଜାଯିବା ସହ ଏଲ୍‌ଇଡି ଗେଟ୍‌ ପ୍ରମୁଖ ଆକର୍ଷଣ ରହିବ। ପୂଜା ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପାରମ୍ପରିକ ଢୋଲ ବାଜାର ଆୟୋଜନ କରାଯିବ। ପୂଜା ଆରମ୍ଭରୁ ଅର୍ଥାତ୍‌ ଷଷ୍ଠୀଦିନ ବେଲବରଣୀ କଳସଯାତ୍ରା କରାଯାଇ ପୂଜା ଆରମ୍ଭ କରାଯିବ ଏବଂ ସପ୍ତମୀରେ ଘୋଡ଼ାନାଚ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଅଷ୍ଟମୀରେ ମା’ଙ୍କ ନିକଟରେ ଖେଚୁଡ଼ି ଭୋଗ ଅର୍ପଣ କରାଯିବ। ସନ୍ଧ୍ୟାରେ ମେଲୋଡ଼ିି ଅନୁଷ୍ଠିତ ହେବ। ସେହିପରି ୯ମୀରେ ନବମୀ ପୂଜା ଓ ସନ୍ଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଶମୀରେ ଏଠାରେ ଶ୍ରଦ୍ଧାଳୁମାନେ ରାବଣପୋଡ଼ି ଦେଖିବାର ସୁଯୋଗ ପାଇବେ। କମିଶନ୍‌ରେଟ୍‌ ପୋଲିସର କଟକଣା ଯୋଗୁ ରାଜଧାନୀର ପ୍ରମୁଖ ପୂଜାମଣ୍ଡପରେ ରାବଣପୋଡ଼ି ବନ୍ଦ ହୋଇଯାଇଥିବାବେଳେ ବରମୁଣ୍ଡାର ବଡ଼ ପଡ଼ିଆରେ କିନ୍ତୁ ଆତସବାଜି ସହ ରାବଣପୋଡ଼ି ଦେଖିବାକୁ ମିଳିବ। ଏହାସହ ଏହି ସନ୍ଧ୍ୟାରେ ରଙ୍ଗାରଙ୍ଗ ନାଚଗୀତ ପରିବେଷଣ କରାଯିବ।

Share