ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ ଭାବେ ରହିଛି। ଘଟଣା ହେଲା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଓ ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଗୋଟିଏ ଦିନରେ ରିଲିଜ୍‌ ହେବାର ଥିଲା। ଅର୍ଥାତ୍‌ ଡିସେମ୍ବର ୨୫ରେ ଉଭୟ ଫିଲ୍ମ ରିଲିଜ୍‌ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହାକୁ ନେଇ ଆମିର ରିଲଜ୍‌ ଡେଟ୍‌ ଘୁଞ୍ଚାଇ ଦେବାକୁ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ। ଆଉ ଅକ୍ଷୟ ଏହା କରିଥିବାରୁ ଏବେ ଆମିର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବେ ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ୨୨ ଜାନୁୟାରୀ ୨୦୨୧ରେ ରିଲିଜ୍‌ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏହାପରେ କିନ୍ତୁ ଅଡୁଆରେ ପଡି ଯାଇଛନ୍ତି ଅକ୍ଷୟ। କାହିଁକିନା ଅକ୍ଷୟଙ୍କ ଆଉ ଏକ ଫିଲ୍ମ ‘ବେଲ ବଟମ’ ୨୨ ଜାନୁୟାରୀ ୨୦୨୧ରେ ରିଲିଜ୍‌ ହେବ ବୋଲି ପୂର୍ବରୁ କହିସାରିଛନ୍ତି। ଏବେ ଏହାକୁ ଦେଖି ସୋସିଆଲ ମିଡିଆରେ ଅକ୍ଷୟଙ୍କୁ ପରିହାସ କରାଯାଉଛି। କିଏ କିଏ କହୁଛନ୍ତି ଅକ୍ଷୟ ଯେଉଁ ପରିମାଣରେ ଫିଲ୍ମ କରୁଛନ୍ତି ଏମିତି ଦିନ ତ ଖୁବ୍‌ଶୀଘ୍ର ଆସିବ ବୋଲି ଜଣାଥିଲା। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ହୁଏତ ‘ବେଲ ବଟମ’ ଏପ୍ରିଲ କିମ୍ବା ୧୫ ଅଗଷ୍ଟରେ ରିଲିଜ୍‌ ହୋଇପାରେ। ଏହାପରେ ଚଳିତ ବର୍ଷ ପରଦାକୁ ଆସିବ ଅକ୍ଷୟଙ୍କର ଆଉ ୩ଟି ଫିଲ୍ମ। ପୃଥ୍ବିରାଜ, ସୂର୍ଯ୍ୟବଂଶୀ ଓ ଲକ୍ଷ୍ମୀ ବମ୍‌ ଏହା ପରଦାରେ ପୁଣିଥରେ ଅକ୍ଷୟଙ୍କୁ ଦର୍ଶକଙ୍କ ଆହୁରି ନିକଟତର କରିବ ବୋଲି କୁହାଯାଉଛି।

Share