ଅକ୍ଷୟ ତୃତୀୟାରେ ପଞ୍ଚୁପୂଜା: ପାଣିପାଗ ପୂର୍ବାନୁମାନ ଜାଣିବାର ଅଭିନବ ପରମ୍ପରା

ଲଇକେରା,୨୭।୪(ଡି.ଏନ.ଏ.)-ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ ହୁଏ। ପରମ୍ପରା ଅନୁଯାୟୀ ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳର ଚାଷୀମାନେ ନିଜ ଘରେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଲରେ ଧାନ ବୁଣି ଚାଷର ଶୁଭରମ୍ଭ କରିଥାନ୍ତି। ଏହିଦିନ ଅର୍ଥାତ୍‌ ଅକ୍ଷୟ ତୃତୀୟା ତିଥିରେ ଚାଷୀ ପାଣିପାଗର ପୂର୍ବାନୁମାନ କରେ। ଏଥି ସକାଶେ ବହୁଦିନରୁ ଏକ ଅଭିନବ ପରମ୍ପରା ଚାଲି ଆସିଛି। ଯାହାକୁ ‘ପଞ୍ଚୁପୂଜା’ କୁହାଯାଏ। ଏହି ପୂଜାକୁ ବିଶ୍ୱାସ କରନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ। ଏହି ପୂଜାରୁ ଆଗାମୀ ଦିନର ପାଣିପାଗ ସଂକ୍ରାନ୍ତରେ ଚାଷୀ କୁଆଡ଼େ ସ୍ପଷ୍ଟ ହୋଇଥାଏ।
ବାଉଁଶ ତିଆରି ପାତିଆ ଦୁଇଟିରେ ପଞ୍ଚୁ ଧନୁ ତିଆରି କରାଯାଏ।  ସକାଳୁ ପଞ୍ଚୁ ପୂଜା ଓ ଧାରକ ୩ ଜଣ ସ୍ନାନ କରି ଓଦା ବସ୍ତ୍ରରେ ପୂଜା ସ୍ଥଳିରେ ପହଞ୍ଚତ୍ଥାନ୍ତି।  ପରେ ଯଥାରୀତିରେ ଆରମ୍ଭ ହୁଏ ପୂଜାର୍ଚ୍ଚନା। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ପୂଜାସ୍ଥଳ । ହେଲେ ଏଥର କରୋନା ଭୟରେ ନିରାଡମ୍ବର ଭାବେ ପୂଜା କରାଯାଇଥିଲା। ତଥାପି ବି ଲୋକେ ସାମାଜିକ ଦୂରତା ଅବଲମ୍ବନ କରି ନ ଥିଲେ। ପୂଜକ ପୂଜା ଆରମ୍ଭ କରି ଧୂପ, ଦୀପ, ପୁଷ୍ପ ଦେଇ ଗୋଟିଏ ପଞ୍ଚୁରେ ଧର୍ମର ସୂଚକ ଭାବେ ଲାଲ ଓ ଅନ୍ୟ ଗୋଟିଏ ପଞ୍ଚୁରେ କାଳର ସୂଚକ ଭାବେ କଳା ରଙ୍ଗ ବୋଲି ଧାରକ ଦୁଇଜଣଙ୍କ ହାତରେ ଧରାଇ ମନ୍ତ୍ର ପାଠ କରିଥିଲେ।  ବିଶ୍ୱାସ ରହିଛି ଲାଲ ପଞ୍ଚୁ ଉପରକୁ ଉଠିଲେ ଭଲ ବର୍ଷା ସହ ଉତ୍ତମ ଫସଲ ହୋଇଥାଏ ଏବଂ କଳା ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ଦୈବୀ ଦୁର୍ବିପାକ ସହ ଅନାବୃଷ୍ଟି ହୋଇ ମରୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।  ଚଳିତ ବର୍ଷ ପ୍ରଥମେ ଉଭ୍ୟ ପଞ୍ଚୁ ସ୍ଥିର ରହିଥିଲା।  ପ୍ରଥମେ କଳା ପଞ୍ଚୁ ଉପରକୁ ଉଠି ଅନାବୃଷ୍ଟି ସହ ବିପତ୍ାତର ସୂଚନା ଦେଇଥିଲା। ହେଲେ ପରେ ଲାଲ ପଞ୍ଚୁ ଉପରକୁ ଉଠି ଭଲ ବର୍ଷା ସହ ଉତ୍ତମ ଫସଲର ସୂଚନା ଦେଇଛି।  ଶେଷରେ ଉଭୟ ପଞ୍ଚୁ ଉପରକୁ ଉଠି ସାମାନ୍ୟ କମ୍‌ ବେଶି ଉପରେ ରହିଥିଲେ।  ଏହା ଦେଖି ଏକତ୍ରିତ ହୋଇଥିବା ଚାଷୀ ପ୍ରଥମେ ବିପତ୍ତି ରହିଥିବା ଓ ପରେ ଭଲ ବର୍ଷା ସହ ଭଲ ଫସଲ ହେବାର ସୂଚନା ମିଳୁଥିବା କୁହାକୁହି ହୋଇଛନ୍ତି।  ଅର୍ଥାତ୍‌ ପ୍ରଥମେ ଭଲ ବର୍ଷା ହୋଇ ନ ପାରେ, ଅନାବୃଷ୍ଟି ସହ କ୍ଷତି ହେବାର ଆଶଙ୍କା ରହୁଥିବା ବେଳେ ପରବର୍ତ୍ତି ସମୟରେ ଭଲ ବର୍ଷା ଓ ଶେଷ ବେଳକୁ ଯଥେଷ୍ଟ ଲାଭ ନ ହେଲେ ବି କ୍ଷତି ହେବ ନାହିଁ ବୋଲି ସୂଚନା ମିଳିଛି। ଏଥର ଉଭୟ ପଞ୍ଚୁକୁ ସୁନ୍ଦର ଅଗ୍ରୱାଲ ଏବଂ ରମେଶ କୁଅଁର ଧାରଣ କରିଥିବା ବେଳେ, ରାମେଶ୍ୱର ଅଗ୍ରୱାଲ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।  କେବଳ ଯେ, ଏହି ପରମ୍ପରାରେ ବିଶ୍ୱାସ ଅଛି ତା ନୁହେଁ ବରଂ ପୂର୍ବାନୁମାନ ସତ୍ୟ ହେଉଥିବାର ଅନେକ ଦୃଷ୍ଟାନ୍ତ ରହୁଥିବା ଚାଷୀ କହନ୍ତି।

Share