Advertisement

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି, ବରେଲିର ଦଶମ ଶ୍ରେଣୀ ଛାତ୍ରୀ ସାଫିଆ ଜାଭେଦ୍‌।୧୬ ବର୍ଷୀୟା ସାଫିଆ ଦୀର୍ଘ ୫ ବର୍ଷ ଧରି ଫୁସ୍‌ଫୁସ୍‌ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଅଛନ୍ତି। ଫୁସ୍‌ଫୁସ୍‌ ଅତ୍ୟନ୍ତ ଦୁର୍ବଳ ଥିବାରୁ ଗତ ଦେଢ଼ବର୍ଷ ହେଲା ଅକ୍ସିଜେନ୍‌ ସାହାଯ୍ୟରେ ତାଙ୍କର ଶ୍ୱାସକ୍ରିୟା ଚାଲିଛି। ଏହାସତ୍ତ୍ୱେ ସେ ଚଳିତବର୍ଷ ଉତ୍ତରପ୍ରଦେଶ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ସହ ସଫଳତା ପାଇଁ ଆଶା ରଖିଛନ୍ତି। ଅକ୍ସିଜେନ୍‌ ସିଲିଣ୍ଡର୍‌ ସହ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବାକୁ ତାଙ୍କୁ ଅନୁମତି ମିଳିଥିବା ଜଣାପଡ଼ିଛି। ରୋଗରେ ପୀଡ଼ିତଥିବା ଯୋଗୁ ସେ ନିୟମିତ ସ୍କୁଲ ଯାଇ ପାଠ ପଢ଼ିପାରୁ ନାହାନ୍ତି। ତେଣୁ ସେ ପ୍ରାଇଭେଟ୍‌ ଛାତ୍ରୀଭାବେ ପରୀକ୍ଷା ଦେଉଛନ୍ତି। ଏ ନେଇ ବରେଲିର ଶାହାବାଦ କଲୋନୀରେ ରହୁଥିବା ସାଫିଆଙ୍କ ବାପା ସରଓ୍ବର ଜାଭେଦ୍‌ କୁହନ୍ତି, ଝିଅ ଶ୍ରେଣୀରେ ସବୁବେଳେ ଟପ୍ପର ଥିଲେ। ୫ ବର୍ଷ ତଳେ ପିତ୍ତକୋଷରେ ପଥୁରି ହୋଇଥିବାବେଳେ ତାହା ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପରେ ତାଙ୍କୁ ଟିବି ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଭର୍ତ୍ତି ହେଉଥିବା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେଠାରେ ତାଙ୍କୁ ଅକ୍ସିଜେନ୍‌ ସାହାଯ୍ୟରେ ରଖାଯାଇଥିଲା। ଫଳରେ ସେ ହାଇସ୍କୁଲ ପରୀକ୍ଷା ଦେଇପାରି ନ ଥିଲେ। କିନ୍ତୁ ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ କଠିନ ପରିଶ୍ରମର ମୂଲ୍ୟ ସେ ନିଶ୍ଚୟ ପାଇବେ ଏବଂ ପରୀକ୍ଷାରେ ଭଲ ନମ୍ବର ରଖିବେ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share