Categories: ଫୁରସତ

ଅକ୍ସିଜେନ ପାର୍ଲର

ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ବିଶୁଦ୍ଧ ବାୟୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରର ନାସିକ ରେଲଓ୍ବେ ଷ୍ଟେଶନରେ ଆରମ୍ଭ ହୋଇଛି ଅକ୍ସିଜେନ ପାର୍ଲର। ସ୍ଥାନୀୟ ରେଲଓ୍ବେ ବିଭାଗ ସହାୟତାରେ ଏହି ପାର୍ଲରକୁ ପ୍ରସ୍ତୁତ କରିଛି ଏରୋ ଗାର୍ଡ ସଂସ୍ଥା।
ସଂସ୍ଥାର ସଂସ୍ଥାପକ ଅମିତ ଅମୃତକରଙ୍କ କହିବା କଥା, ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡ୍‌ମିନ୍‌ଷ୍ଟ୍ରେଶନର ପରାମର୍ଶ ପରେ ଅକ୍ସିଜେନ ପାର୍ଲରର ଆଇଡିଆ ଆସିଥିଲା। ବାୟୁ ପ୍ରଦୂଷଣ ଏବଂ ଏହାକୁ ରୋକିବା ନେଇ ୧୯୮୯ରେ ନାସା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ କରାଯାଇଥିଲା। ନାସାର ବୈଜ୍ଞାନିକମାନେ ପ୍ରଦୂଷିତ ବାୟୁକୁ ଶୋଷି ପାରୁଥିବା ସବୁଠାରୁ ୫ଟି ଉତ୍ତମ ଗଛ ଚିହ୍ନଟ କରିଥିଲେ। ରେଲଓ୍ବେ ଷ୍ଟେଶନରେ ଲଗାଯାଇଥିବା ଅଧିକାଂଶ ଗଛ ସେହି ପ୍ରଜାତିର। ଷ୍ଟେଶନରେ ୧୫୦୦ ଗଛ ଲଗାଯାଇଛି। ପ୍ରତି ଗଛ ନିଜ ପରିଧି ମଧ୍ୟରେ ୧୦୦ ବର୍ଗଫୁଟ ଅଞ୍ଚଳର ବାୟୁକୁ ଶୁଦ୍ଧ କରିପାରିବ। କେବଳ ରେଲଓ୍ବେ ଷ୍ଟେଶନ ନୁହେଁ, ପ୍ରତି ଘରେ ଏପରି ଗଛ ଲଗାଇବା ଦ୍ୱାରା ଦେଶର ବାୟୁ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ହୋଇପାରିବ। ଲୋକମାନେ ବାୟୁ ପ୍ରଦୂଷଣରୁ ଭୋଗୁଥିବା ରୋଗ ମଧ୍ୟ ହ୍ରାସ ପାଇବ।
ଏପରି ଅଭିନବ ପ୍ରକଳ୍ପକୁ ରେଳ ଯାତ୍ରୀମାନେ ସ୍ବାଗତ କରିଛନ୍ତି। ରେଲଓ୍ବେ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଏପରି ଅଭିନବ ପାର୍ଲର ବାୟୁର ଗୁଣବତ୍ତା ବଢ଼ାଇବାରେ ସହାୟକ ହେବ। ପ୍ରତି ରେଲଓ୍ବେ ଷ୍ଟେଶନରେ ଏପରି ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Share