‘ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର’

ବାଲେଶ୍ୱର ଅଫିସ୍‌, ୧୭ା୮: ୩୭୦ ଧାରା ଉଚ୍ଛେଦ କରି କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଏକ ଘରୋଇ ହୋଟେଲ ପରିସରରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, କେନ୍ଦ୍ର ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରସଙ୍ଗକୁ ରଖିଥିବା ବେଳେ ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି। ପୂର୍ବରୁ କଶ୍ମୀରର କୌଣସି ଯୁବତୀ ଅନ୍ୟ ରାଜ୍ୟରେ ବିବାହ କଲେ ତାଙ୍କର କଶ୍ମୀର ନାଗରିକତ୍ୱ ଲୋପ ପାଇ ଯାଉଥିଲା। ଅନ୍ୟ ପକ୍ଷରେ ପାକିସ୍ଥାନର ଯୁବକ କଶ୍ମୀର ଯୁବତୀଙ୍କୁ ବିବାହ କଲେ କଶ୍ମୀରର ନାଗରିକତ୍ୱ ପାଇଯାଉଥିଲା। ଗୋଟିଏ ଦେଶ ଭିତରେ ଦୁଇଟି ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଚାଲିଆସୁଥିଲା। ଗୋଟିଏ ଦେଶରେ ଭିନ୍ନ ଭିନ୍ନ ଆଇନ କେମିତି ଚଳି ଆସୁଥିଲା ତାହା ପ୍ରଶ୍ନବାଚୀ। ପୂର୍ବରୁ ସରକାର ରହିଥିବା ନେତାମାନେ ଜାଣିଶୁଣି ଏଭଳି ବ୍ୟବସ୍ଥାକୁ ଚଳାଇ ଆସିଥିଲେ ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ କଶ୍ମୀରରେ ବିକାଶ ସମ୍ଭବ ହେବ। ଉନ୍ନତମାନର ଡାକ୍ତରଖାନା ହେବ, ଲୋକେ ଚିକିତ୍ସା ସେବା ପାଇବେ, କଳ କାରଖାନା ଗଢ଼ି ଉଠିବ, ଯଦ୍ୱାରା ସ୍ଥାନୀୟ ଲୋକେ ନିଯୁକ୍ତି ପାଇବେ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ଥାନୀୟ ଲୋକେ ଉପକୃତ ହେବେ। ସବୁଠାରୁ ବଡ଼ କଥା, ନିଯୁକ୍ତି କ୍ଷେତ୍ରରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ କଶ୍ମୀରର ଯୁବକମାନେ ଆଦୌ ସୁଫଳ ପାଇ ପାରୁ ନ ଥିଲେ। ଫଳରେ ଦୀଘ ବର୍ଷ ହେଲା କଶ୍ମୀର ଯୁବତୀ, ଯୁବକ ଦିଗହରା ହୋଇ ସନ୍ତ୍ରାସବାଦ ପ୍ରତି ଆକୃଷ୍ଟ ହେଉଥିଲେ। ଭାରତ ଭୂଖଣ୍ଡର ସ୍ବର୍ଗ ଭାବେ ପରିଚିତ କଶ୍ମୀରକୁ ଦୁଇ ତିନୋଟି ପରିବାରର ଲୋକେ ଲୁଟି କରି ନେଉଥିଲେ। କେନ୍ଦ୍ର ସରକାର ବିଶେଷ କରି ଗୃହମନ୍ତ୍ରୀ ଅମିତ ସାହା ଏଥିପାଇଁ ଧନ୍ୟବାଦର ପାତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ। ଖବରଦାତା ସମ୍ମିଳନୀରେ ସଦର ବିଧାୟକ ମଦନମୋହନ ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ ଓ ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।