Advertisement

ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତା: ଦୁଇ ବିଭାଗରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତା(ଅଲ୍‌ ଇଣ୍ଡିଆ ସ୍କିଲ୍‌ କମ୍ପିଟିଶନ୍‌ ଫର୍‌ କ୍ରାଫ୍ଟସମେନ୍‌)ରେ ଓଡିଶାକୁ ମିଳିଛି ଦୁଇ-ଦୁଇଟି ସଫଳତା। ଦୁଇ ଓଡ଼ିଆ ବିକାଶ ଚନ୍ଦ୍ର ନାୟକ ଏବଂ ସଦାଶିବ ସାମନ୍ତରାୟ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ତାଳଚେରସ୍ଥିତ ସରକାରୀ ଆଇଟିଆଇରୁ ଫିଟର୍‌ ଟ୍ରେଡ୍‌ରେ ତାଲିମ ନେଉଥିବା ବିକାଶ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ କୁଶଳୀ କାରିଗର ହେବାର ଗୌରବ ଅର୍ଜନ କରିଛନ୍ତି। ଏହାସହ ତାଳଚେର ସରକାରୀ ଆଇଟିଆଇକୁ ଫିଟର୍‌ ଟ୍ରେଡ୍‌ରେ ସର୍ବଶ୍ରେଷ୍ଠ ତାଲିମ୍‌ ଅନୁଷ୍ଠାନଭାବେ ମାନ୍ୟତା ଦିଆଯାଇଛି। ସେହିଭଳି ସଦାଶିବ ବାଲେଶ୍ୱରସ୍ଥିତ ସରକାରୀ ଆଇଟିଆଇରୁ ଟର୍ନର୍‌ ଟ୍ରେଡ୍‌ରେ ପ୍ରଶିକ୍ଷଣ ନେଇଛନ୍ତି। ବିଭାଗୀୟ ଶିକ୍ଷକଙ୍କର ତାଲିମ ଏବଂ ଉତ୍କୃଷ୍ଟ ଶିକ୍ଷାଦାନ ଯୋଗୁ ୨୦୧୮ରେ ସେ ସର୍ବଭାରତୀୟ ଟ୍ରେଡ୍‌ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶିଳ୍ପ କୌଶଳ ପ୍ରତିଯୋଗିତାରେ ଆଗ୍ରହୀ ଥିବାରୁ ଆଇଟିଆଇ ଅଧ୍ୟକ୍ଷ ଇଂ କୃଷ୍ଣଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଶିକ୍ଷକମାନଙ୍କ ଦ୍ୱାରା ସଦାଶିବଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଇଥିଲା। ଫଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହ ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ସେ ଟର୍ନର ଟ୍ରେଡ୍‌ରେ ଶ୍ରେଷ୍ଠ କୁଶଳୀ କାରିଗର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ବାଲେଶ୍ୱର ସରକାରୀ ଆଇଟିଆଇକୁ ଟର୍ନର ବିଭାଗରେ ଶ୍ରେଷ୍ଠ ତାଲିମ୍‌ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share