ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଅନଶନ

ରାୟଗଡ଼ା ଅଫିସ,୧୯।୧୨: ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ୧୦ଟି ଦାବି ନେଇ ରାୟଗଡ଼ା ଡିଭିଜନ ସମ୍ମୁଖରେ ଅନଶନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଛି। ଗ୍ରାମୀଣ ଡାକସେବକ ସଂଘ (ଜିଡିଏସ)ସପ୍ତମ ବେତନ କମିଶନ କମଲେଶ ଚନ୍ଦ୍ରା ରିପୋର୍ଟ ୨୦୧୮ ମସିହାରେ କ୍ୟାବିନେଟ୍‌ରେ ଗୃହୀତ ହୋଇଥିଲା। ମାତ୍ର ଏଥିରେ ବହୁତ ଦାବି ଅସମ୍ପୂର୍ଣ୍ଣ ରହିଛି। ଦାବିଗୁଡ଼ିକ ମଧ୍ୟରେ ଜିଡିଏସ୍‌ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ପ୍ରତି ୧୨ ବର୍ଷରେ ୨ ଇନ୍‌କ୍ରିମେଣ୍ଟ ଦେବାକୁ ରିପୋର୍ଟରେ ଧାର୍ଯ୍ୟ କରାଯାଇଛି ତାହା ଗୃହୀତ କରିବା, ବେତନ କମିଶନ ନିର୍ଦ୍ଧାରିତ ୧୮୦ଦିନ ଛୁଟି ମଞ୍ଜୁର ଆଦି ଅନ୍ତର୍ଭୁକ୍ତ। ପୂର୍ବରୁ ୮.୧୧.୧୯ରେ କେନ୍ଦ୍ର ଅଖିଳ ଭାରତ ଗ୍ରାମୀଣ ସଂଘ ନୂତନ ଭାବେ ନିଯୁକ୍ତି ହୋଇଥିବା ବିଭାଗୀୟ ସେକ୍ରେଟାରୀଙ୍କୁ କହିଥିଲେ ଏହାର କୌଣସି ପଦକ୍ଷେପ ନିଆ ନ ଗଲେ ପ୍ରତ୍ୟେକ ଡିଭିଜନ ଅଫିସ ସମ୍ମୁଖରେ ଧର୍ମଘଟ ଦିଆଯିବ। ତେଣୁ ଆଜି ଏହି ଧର୍ମଘଟ ହୋଇଛି। ସଂଘ ପକ୍ଷରୁ ଏକ ଦାବିପତ୍ର ରାୟଗଡ଼ା ଡିଭିଜନର ପୋଷ୍ଟ ଅଫିସର ଏସ୍‌ପିଙ୍କ ଜରିଆରେ ଡାକ ବିଭାଗର ସେକ୍ରେଟାରୀ ପିକେ ବିଷୋୟୀଙ୍କୁ ପ୍ରଦାନ କରାଯାଇଛି ା ସଂଘର ଶାଖା ସଭାପତି ଏଲ. ମନ୍ମଥ ରାଓ, ସମ୍ପାଦକ ବାଲ ଗୋପାଲ ଦାସ ଏବଂ ଜିଡିଏସ୍‌ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।