ଅଗଷ୍ଟ ପ୍ରଥମ ସପ୍ତାହରେ ୨୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଲଗାତାର ୫ମ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା

ନୂଆଦିଲ୍ଲୀ, ୧୫।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୫୨୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୬୯ ହଜାର ୭୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଲକ୍ଷେ ୫୩ ହଜାର ୧୦୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୧୧ ହଜାର ୫୦୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରବିବାର ଏହି ସଂଖ୍ୟା ୧୧ ହଜାର ୯୨୯ ଥିଲା। ଲଗାତାର ୫ମ ଦିନ ଧରି ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାରରୁ ଅଧିକ ରହିଛି। ଏଭଳି ଜାରି ରହିଲେ ଅଗଷ୍ଟ ପ୍ରଥମ ସପ୍ତାହରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତ ପୋଷଣ କରିଛନ୍ତି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଗଲେ ଜୁନ ଶେଷ ସୁଦ୍ଧା ଏହା ୫ ଲକ୍ଷ ଟପିବା ସହିତ ଜୁଲାଇ ୧୮ ବେଳକୁ ୧୦ ଲକ୍ଷ ଛୁଇଁବ। ଏବେ ପ୍ରତି ୧୭.୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଥିବା କୁହାଯାଉଛି।

Share