Categories: ଖେଳ

ଅଗଷ୍ଟ ଶେଷରେ ଭାରତ, ଦକ୍ଷିଣ ଆଫ୍ରିକା ୩ ଟି୨୦ ଖେଳିବେ

ନୂଆଦିଲ୍ଲୀ,୨୧।୫ (ପି.ଟି.): ଆସନ୍ତା ଅଗଷ୍ଟ ମାସ ଶେଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ମ୍ୟାଚ୍‌ ଖେଳିବେ। ତେବେ କୋଭିଡ-୧୯ ମହାମାରୀ କମିଲେ ଅର୍ଥାତ ନିୟନ୍ତ୍ରଣକୁ ଆସିଲେ ଉଭୟ ଦେଶର ସରକାର ଏହି ସିରିଜ ଆୟୋଜନ ନେଇ ଅନୁମତି ଦେବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଇଚ୍ଛା ଜାହିର କରିଥିବାରୁ କ୍ରିକେଟ ସାଉଥ୍‌ ଆଫ୍ରିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟାକ୍ୟୁସ ଫାଉଲ୍‌ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଅନ୍ୟ ଏକ ନୂଆ ତାରିଖରେ ଏହାକୁ ଆୟୋଜନ କରିବାକୁ ଉଭୟ ପକ୍ଷ ଇଚ୍ଛୁକ ନୁହନ୍ତି ବୋଲି ସେ କହିଛନ୍ତି। ଚୁକ୍ତିକୁ ସମ୍ମାନ ଦେବାକୁ ବିସିସିଆଇ ଚାହୁଁଛି। ପୁଣି ଯଦିବି ଏହି ସିରିଜ୍‌କୁ ଘୁଞ୍ଚାଯାଇଏ ତାହାଲେ ସାମନ୍ୟ ବିଳମ୍ବ ହେବ। ବିସିସିଆଇ ସହିତ ଏ ସଂକ୍ରାନ୍ତରେ ଆମର ଭଲ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।
ଯଦି ସରକାର ଅନୁମୋଦନ କରନ୍ତି ତା’ହେଲେ ଏହି ସିରିଜ ଆୟୋଜନ ହୋଇପାରେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ପ୍ରଥମେ ଗ୍ରୀନ୍‌ ଜୋନ୍‌ରେ ସବୁ ଖେଳାଳିଙ୍କୁ ଅଣାଯାଇ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ। ଯଦି ସବୁକିଛି ଠିକ୍‌ଠାକ ଚାଲେ ତାହାଲେ ଦକ୍ଷିଣ ଆଫ୍ରିକା ସହିତ ଆମେ ଖେଳିବୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସିରିଜ ଆୟୋଜନ ଆଳରେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ କରିବାନେଇ ଦକ୍ଷିଣ ଆଫ୍ରିକାର ସମର୍ଥନ ମଧ୍ୟ ହାସଲ କରିପାରିବ। ତେବେ ଯଦି ଟି୨୦ ବିଶ୍ୱକପ୍‌ ଆୟୋଜନ ନ ହୁଏ ତେବେ ଅକ୍ଟୋବର- ନଭେମ୍ବରରେ ଏପରି ହେବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାରଙ୍କଠାରୁ ଅନୁମୋଦନ ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଫାଉଲ୍‌ କହିଛନ୍ତି। ଯଦି ଆବଶ୍ୟକ ହୁଏ ରୁଦ୍ଧଦ୍ୱାରରେ ଏହି ମ୍ୟାଚ୍‌ ସବୁ ଆୟୋଜନ ହେବ। ଏହି ଗସ୍ତ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଭାରତ ଏ ନେଇ ଇଚ୍ଛୁକ ଥିବାରୁ ଆମେ ମଧ୍ୟ ବହୁତ ଉତ୍ସାହିତ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଅନ୍ୟ କ୍ରୀଡ଼ା ଭଲି କ୍ରିକେଟ ମଧ୍ୟ କୋଭିଡ-୧୯ ମହାମାରୀ କାରଣରୁ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସ ପ୍ରାରମ୍ଭରୁ ବିଶ୍ୱରେ କ୍ରିକେଟ ଠପ୍‌ ହୋଇଛି।

Share