Categories: ଖେଳ

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏଥର ସ୍ବାଭାବିକ ସମୟଠାରୁ ୨ ମାସ ବିଳମ୍ବରେ ସିଜନ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ‘ଫିଫା’ଠାରୁ ଅନୁମତି ପରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମଙ୍ଗଳବାର ସମସ୍ତ ରାଜ୍ୟ ୟୁନିଟ୍‌ଗୁଡ଼ିକୁ ଏ ସମ୍ପର୍କରେ ନିର୍ଦ୍ଦେଶନାମା ପଠାଇଛି। ଚଳିତ ବର୍ଷର ସିଜନ ଅଗଷ୍ଟ ୧ରୁ ୨୦୨୧ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗ୍ରୀଷ୍ମକାଳୀନ ଖେଳାଳି ବଦଳି କାର୍ଯ୍ୟ ଅଗଷ୍ଟ ୧ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ବଦଳୀ କାର୍ଯ୍ୟ ୨୦୨୧ ଜାନୁୟାରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ। ସାଧାରଣ ଭାବେ ଆଇ-ଲିଗ୍‌ ଅକ୍ଟୋବର ପୂର୍ବରୁ ଆରମ୍ଭ ହୋଇ ନ ଥାଏ। ଗତବର୍ଷ ଇଣ୍ଡିଆନ ସୁପର ଲିଗ୍‌ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବାବେଳେ ଆଇ-ଲିଗ୍‌ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୧୯-୨୦ ସିଜନରେ ଆଇ-ଲିଗ୍‌ର ସମସ୍ତ ମ୍ୟାଚ ଖେଳାଯାଇ ପାରି ନ ଥିଲା। ଅବଶିଷ୍ଟ ୪ ରାଉଣ୍ଡ ଖେଳ ପୂର୍ବରୁ ମୋହନ ବାଗାନ ଟାଇଟଲ ଜିତିସାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଏଟିକେ ଓ ଆଇଏସଏଲ୍‌ ମଧ୍ୟରେ ଆଇଏସ୍‌ଏଲର ଫାଇନାଲ ମ୍ୟାଚ ଗୋଆର ମାରଗାଓସ୍ଥିତ ଫାଟୋର୍ଡା ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଖେଳାଯାଇଥିଲା। ଏଥିରେ ବିଜୟ ଲାଭ କରି ଏଟିକେ ଚାମ୍ପିୟନ ହୋଇଥିଲା।

Share