Categories: ମେଟ୍ରୋ

ଅଗଷ୍ଟ ୧୫ରେ କାର୍ଯ୍ୟକାରୀ ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

କଟକ ଅଫିସ, ୨୬।୭ : କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ବଢୁଛି ଆବର୍ଜନା। ଏହାକୁ ଦୃଷ୍ଟିରେ ରଖି ପ୍ରତିଘରୁ ଯେପରି ଭାବେ ଆବର୍ଜନା ସଂଗ୍ରହ କରାଯିବ ସେ ନେଇ ସିଏମ୍‌ସି ଚେଷ୍ଟା ଜାରି ରଖିଛି। ସହରରେ ବଢୁଥିବା ଆବର୍ଜନାକୁ ଦୃଷ୍ଟିରେ ବିଏସ୍‌ଏନ୍‌ଏଲ୍‌, ସିଏମ୍‌ସି ଏବଂ ୟୁଏନ୍‌ଡିପିର ମିଳିତ ସହଭାଗିତାରେ ମହାନଦୀବିହାର ବିଏସ୍‌ଏନ୍‌ଏଲ କଲୋନୀରେ ୧୩ ଲକ୍ଷ ଟଙ୍କା ବ୍ୟୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ନିର୍ମାଣ କରାଯିବ। ଏହି ପ୍ଲାଣ୍ଟରେ ପ୍ରତିଦିନ ୧୦୦ କେଜି ବର୍ଜ୍ୟବସ୍ତୁ ପରିଚାଳନା କରାଯାଇପାରିବ। ଏହି ପ୍ଲାଣ୍ଟକୁ ଚଲାଇବା ନିମନ୍ତେ ୩ ଜଣ ସୁଇପରଙ୍କୁ ତାଲିମ ଦିଆଯିବ। ବିଏସ୍‌ଏନ୍‌ଏଲ୍‌ କଲୋନୀର ସମସ୍ତ ଘରୁ ବାହାରୁଥିବା ଆବର୍ଜନା ଏହି ପ୍ଲାଣ୍ଟରେ ପ୍ରୋସେସିଂ କରାଯାଇ ଜୈବିକ ଖତରେ ପରିଣତ କରାଯିବ। ଏହି ଖତ ବିଭିନ୍ନ କାର୍ଯ୍ୟରେ ଲାଗିବ ବୋଲି ସିଏମ୍‌ସି ସେକ୍ରେଟାରୀ ଲତାଶ୍ରୀ ବାଗ କହିଛନ୍ତି। ଏ ନେଇ ଗୁରୁବାର ବିଜୁଭବନଠାରେ ସିଏମସି କମିଶନର ଅନନ୍ୟା ଦାସଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୫ରେ ପ୍ଲାଣ୍ଟ କାର୍ଯ୍ୟକାରୀ, ଆବର୍ଜନା ସଂଗ୍ରହ, ଲୋକଙ୍କୁ ସଚେତନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସେକ୍ରେଟାରୀ ଲତାଶ୍ରୀ ବାଗଙ୍କ ସମେତ ୟୁଏନ୍‌ଡିପି ପକ୍ଷରୁ ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ଥିଲେ।

Share