ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର,୫।୭(ବ୍ୟୁରୋ) : ଆସନ୍ତା ଅଗଷ୍ଟ ୮ ତାରିଖରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କର ପାଠ ପଢା ଆରମ୍ଭ ହେବ। ଏ ନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅଗଷ୍ଟ ୨୪ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କର ନିୟମିତ ପାଠ ପଢା ହେବ। ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ ସେମିଷ୍ଟର ପରୀକ୍ଷା ଓ ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଯୁକ୍ତ ତିନି ପ୍ରଥମ ବର୍ଷରୁ କାର୍ଯ୍ୟକାରୀ କରାଯାଉଛି। ଯଦି ପାଠ ପଢା ବିଳମ୍ବରେ ଆରମ୍ଭ କରାଯିବ ତେବେ କୋର୍ଷ ଶେଷ ହେବ ନାହିଁ। ଅଗଷ୍ଟ ୮ରୁ ପାଠ ପଢା ଆରମ୍ଭ ହେଲେ ମଧ୍ୟ ନାମଲେଖା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ପାଠ ପଢା ଆରମ୍ଭ ହେବା ଠାରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଏବଂ ସେଲ୍‌ଫ ଫାଇନାନ୍ସ ଡିଗ୍ରୀ କଲେଜରେ ଛାତ୍ରୀଛାତ୍ରଙ୍କ ଡ୍ରେସ୍‌କୋଡକୁ କଡାକଡି ଭାବେ ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Share