ଅଗ୍ନିକାଣ୍ଡରେ ଜଳିଗଲା ତେଜରାତି ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଛତିଆ,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀପାଟଣା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ତେଜରାତି ଦୋକାନ ଜଳିଯିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଛତିଆ ବିଟ୍‌ ହାଉସ୍‌ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ଥିବା ପୋଲିସ କହିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।