ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ଉଲୁଣ୍ଡା, ୨୭ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ଥନାପତି ପଡାରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ବିପନ୍ନମାନେ ହେଲେ ପଡାର ଚମ୍ପେଶ୍ୱର ଥନାପତି ଏବଂ ଆଲୋକ ଦେହେରି। ସବୁଦିନ ଭଳି ଉଭୟ ପରିବାର ସଦସ୍ୟ ଘରେ ଶୋଇ ପଡିଥିଲେ। ରାତି ପ୍ରାୟ ୧୨ଟାରେ ଘର ନିଆଁ ଲାଗି ଜଳୁଥିବା ଦେଖାଯାଇଥିଲା। ଫଳରେ ଉଭୟ ପରିବାରର ସମସ୍ତ ସଦସ୍ୟ ଜୀବନ ବଞ୍ଚାଇ ଘରୁ ବାହାରି ଆସିଥିଲେ। ଚମ୍ପେଶ୍ୱରଙ୍କ ୩ ବଖରା ଘର ସମେତ ମହଜୁଦ ଥିବା ୧୦ ପ୍ୟାକେଟ ଚାଉଳ, ୧୨ ପାକେଟ ଧାନ ଏବଂ ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଏହାସହ ଆଲୋକଙ୍କ ଦୁଇ ବଖରା ଘର ସମେତ ପରିବାରର ସମସ୍ତ ଆସବାବପତ୍ର ପୋଡିଯାଇଛି। ଖବର ପାଇ ଉଲୁଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଉଲୁଣ୍ଡା ସରପଞ୍ଚ ସନ୍ତୋଷିନୀ ଭୋଇଙ୍କ ସମେତ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲାପରେ ୫୦ କେଜି ଚାଉଳ ଏବଂ ପଲିଥିନ ଯୋଗାଇ ଦିଆଯାଇଛି।