‘ଅଗ୍ନି-୨’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ ପକ୍ଷରୁ ଭଦ୍ରକ ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପର ୪ ନଂ. ଲଞ୍ଚପ୍ୟାଡ୍‌ରୁ ଶନିବାର ସନ୍ଧ୍ୟା ସାଢ଼େ ୭ଟା ବେଳେ ‘ଅଗ୍ନି-୨’ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଅନୁକୂଳ ପାଗକୁ ଅନୁଧ୍ୟାନ କରି ଏହାର ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରବର୍ତ୍ତୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟଭେଦ କରିଥିଲା। ଡିଆର୍‌ଡିଓ ଷ୍ଟ୍ରାଟେଜିକ କମାଣ୍ଡୋ ଫୋର୍ସ ପକ୍ଷରୁ ଏହାର ପରୀକ୍ଷା କରାଯାଇଥିଲା।
‘ଅଗ୍ନି-୨’ର ଲକ୍ଷ୍ୟଭେଦ କ୍ଷମତା ୧୫୦୦ରୁ ୨୦୦୦ କି.ମି.। ଏହାର ଓଜନ ୧୭ ଟନ୍‌, ଲମ୍ବ ୨୦ମିଟର ଓ ମୋଟେଇ ୧.୩ ମିଟର। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୧୦୦୦ କି.ଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଉତ୍‌କ୍ଷେପଣ ପରେ ଏହା ଗତିପଥକୁ ଅତ୍ୟାଧୁନିକ ରାଡ଼ାର ଓ ଟେଲିମେଟ୍ରି ଷ୍ଟେଶନ ସହାୟତାରେ ନିରୀକ୍ଷଣ କରାଯାଇଥିବା ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି।