ଅଘଟଣ ଏଡ଼ାଇବାକୁ ଦୀପାବଳିରେ ଜଗିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। ଏହି ସମୟରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ସୁରକ୍ଷିତ ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ଏକଦମ୍‌ ପ୍ରସ୍ତୁତ ଅଛି। ଯେକୌଣସି ଅଘଟଣ ଏଡ଼ାଇବାକୁ ୫ ହଜାର ଆଗ୍ନିକଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ୯୦୦ ଗାଡ଼ି ପ୍ରସ୍ତୁତ ଅଛି। ସମସ୍ତ ୩୩୭ ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ କରାଯାଇଛି। ୩୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାଛଡ଼ା କଟକରେ ୫ ଓ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ବି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସବୁଠାରୁ ବଡ଼ କଥା ହେଲା, ଦୀପାବଳି ସମୟରେ ଗଳିକନ୍ଦିରେ ନିଆଁ ଲାଗିଲେ ଏବଂ ସେଠାକୁ ଦମକଳ ଗାଡ଼ି ଯାଇ ନ ପାରିଲେ ତାହାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗଳିକନ୍ଦିରେ ନିଆଁ ଲାଗିଲେ ଲିଭାଇବା ପାଇଁ ସ୍ବତନ୍ତ୍ର ବାଇକ୍‌ ବ୍ୟବସ୍ଥା କରାଯାଇଥିବା ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

Share