Categories: ଜାତୀୟ

ଅଘୋଷିତ ଡ୍ରୋନ୍‌ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧ା୨: ଦେଶର ୨୦,୦୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ବ୍ୟବହାରକାରୀ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପୋର୍ଟାଲରେ ପ୍ରାୟ ୧୫ ଦିନ ଧରି ଚାଲିଥିବା ଏହି ପଞ୍ଜୀକରଣ କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଏଣିକି ଓ୍ବାନ୍‌ ଟାଇମ୍‌ ଭୋଲ୍ୟୁଣ୍ଟାରି ଡିସ୍‌କୋର୍ସ ସ୍କିମ୍‌ରେ ପଞ୍ଜୀକୃତ ହୋଇ ନ ଥିବା ଡ୍ରୋନ୍‌କୁ କେହି ଉଡ଼ାଇଲେ ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ବ୍ୟବହାରକାରୀଙ୍କୁ ଜେଲ୍‌ କିମ୍ବା ଜରିମାନା ଅଥବା ଉଭୟ ଦଣ୍ଡ ମିଳିପାରେ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଜାନୁୟାରୀ ୧୪ରୁ ୩୧ ମଧ୍ୟରେ ପ୍ରାୟ ୧୦ ହଜାର ୟୁଜର୍ସ ପଞ୍ଜୀକରଣ କରିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୫,୫୫୩ ବ୍ୟକ୍ତି ସେମାନଙ୍କ ୨୦,୫୩୧ ଡ୍ରୋନ୍‌ର ପଞ୍ଜୀକରଣ କରାଇଛନ୍ତି। ସୁରକ୍ଷାଗତ କାରଣରୁ ଡ୍ରୋନ୍‌ ବ୍ୟବହାରକାରୀଙ୍କୁ ନେଇ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।
ପ୍ରକାଶ ଯେ, ୨୦୧୮ ଅଗଷ୍ଟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଡ୍ରୋନ୍‌ ଉଡ଼ାଣ ନେଇ କେତେକ ନିୟମାବଳୀ ଜାରି କରାଯାଇଥିଲା। ଭାରତୀୟ ବାୟୁସୀମାରେ ଉଡ଼ାଣ କରୁଥିବା ଡ୍ରୋନ୍‌ଗୁଡ଼ିକ ଲାଗି ୟୁନିକ୍‌ ଆଇଡେଣ୍ଟିଫିକେଶନ ନମ୍ବର (ୟୁଆଇଏନ୍‌), ଅନ୍‌ମ୍ୟାନଡ ଏୟାରକ୍ରାଫ୍ଟ ଅପରେଟର ପରମିଟ୍‌ (ୟୁଏଓପି) ଓ ଅନ୍ୟ ଆବଶ୍ୟକ ପ୍ରମାଣପତ୍ର ହାସଲ ପାଇଁ ନିର୍ଦ୍ଦେଶ ରହିଥିଲା। ଅଣପଞ୍ଜୀକୃତ ଡ୍ରୋନ୍‌ ବ୍ୟବହାରକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା ଦେବା ପାଇଁ ଏଥିରେ ବ୍ୟବସ୍ଥା ରହିଛି।

Share