ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରାସ୍ତାରୋକୋ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ନିମାପଡ଼ା ବ୍ଲକ ଅନ୍ତର୍ଗତ ବ୍ୟବସାୟିକ ପେଣ୍ଠସ୍ଥଳୀ ଚାରିଛକ ବଜାର ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରବିବାର ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ରାସ୍ତାରୋକୋ ଯୋଗୁ ନିମାପଡ଼ା-କାକଟପୁର ଓ କାକଟପୁର-ନିଆଳୀ ରାସ୍ତାରେ ଯାନବାହନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।
ଏହି ଅବରୋଧରେ ଚାରିଛକ ବଜାର କମିଟି ଓ ଶତାଧିକ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ବାତ୍ୟାର ଦୀର୍ଘ ଦିନ ପରେ ଚାରିଛକ ବଜାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ବି ଦୈନିକ ସକାଳୁ ବିଦ୍ୟୁତ୍‌ କାଟ କରାଯାଇ ରାତି ୯ଟାରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ଦିନ ଏବଂ ସନ୍ଧ୍ୟା ସମୟରେ ବିଦ୍ୟୁତ୍‌ ରହୁ ନ ଥିବାରୁ ବ୍ୟବସାୟିମାନେ ହଟହଟା ହେଉଥିବାବେଳେ ଚାରିଛକ ଡାକ୍ତରଖାନାରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖଦେଇଥିଲା। ପ୍ରତିବାଦରେ ଚାରିଛକ ବ୍ୟବସାୟୀ ସଂଘ ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଏହି ରାସ୍ତାରୋକୋରେ ସାମିଲ ହୋଇଥିଲେ। ଖବର ପାଇ ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ ସେଠୀ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ବିଦ୍ୟୁତ୍‌ କାଟ ଓ ବିଦ୍ୟୁତ୍‌ ବିଭ୍ରାଟ ରୋକାଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବା ସହ ୨୪ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବାକୁ କନିଷ୍ଠ ଯନ୍ତ୍ରୀ ଟେଲିଫୋନରେ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।
ଫଟୋ କ୍ୟାପସନ୍‌-ଚାରିଛକ ମୁଖ୍ୟ ବଜାରଠାରେ ଶତାଧିକ ବ୍ୟବସାୟୀ ରାସ୍ତାରୋକୋ କରିଛନ୍ତି।

Share