Categories: ଭଦ୍ରକ

ଅଙ୍ଗଦାନ କରିବେ ୭୦ କିନ୍ନର

ଭଦ୍ରକ ଅଫିସ, ୨୧।୧୨- ମୃତ୍ୟୁ ପରେ ସେମାନଙ୍କ ଅଙ୍ଗ ସମାଜର ଯେକୌଣସି ବର୍ଗର ଲୋକଙ୍କ ପାଇଁ ଦାନ କରିବେ। ଭଦ୍ରକ ଚରମ୍ପାସ୍ଥିତ ହୋଟେଲ ମୁନ୍‌ଲାଇଟ ପରିସରରେ ଶୁକ୍ରବାର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘର ୭୦ ଜଣ ସଦସ୍ୟ ଏ ନେଇ ଭାରତୀୟ ଶରୀର ଓ ଅଙ୍ଗଦାନ ସମିତି ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରି ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ନିଜକୁ ମୃତ୍ୟୁ ପରେ ବି ବଞ୍ଚାଇ ରଖିବାର ପ୍ରୟାସ କରି ଅଙ୍ଗଦାନ ଭଳି ପୁଣ୍ୟ କାର୍ଯ୍ୟ ଲାଗି ସେମାନେ ଚୁକ୍ତି କରିଥିବାରୁ ଉପସ୍ଥିତ ଅତିଥିମାନେ ସାଧୁବାଦ ଜଣାଇଥିଲେ। ଏହି ସଂଘର ୭ମ ବାର୍ଷିକ ଉତ୍ସବ ତଥା ଅଙ୍ଗଦାନ ଦିବସରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଏବଂ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭାରତୀୟ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଶା କିନ୍ନର ସମାଜର ସଭାପତି ମୀରା ପରିଡ଼ା, ଉତ୍ତର ଓଡ଼ିଶା କିନ୍ନର ସଂଘର ସଭାପତି ସୌମ୍ୟଶ୍ରୀ, ଅର୍ଦ୍ଧନାରୀଶ୍ୱର କିନ୍ନର ସଂଘର ସଭାପତି ସୋନାଲି ପ୍ରମୁଖ ଯୋଗଦେଇ ଅଙ୍ଗଦାନର ଉପକାରିତା ବିଷୟରେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା।