ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ

ସାକ୍ଷୀଗୋପାଳ,୧୩।୧(ଡି.ଏନ୍‌.ଏ.): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସାନକଞ୍ଜିଆ, ବଡ଼ହାଟ ଓ ମୂଳ ଅଳସା କେନ୍ଦ୍ରରେ ପହଞ୍ଚି ମନ୍ତ୍ରୀ ପ୍ରଥମେ ପିଲାମାନଙ୍କର ଉପସ୍ଥାନ, ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ, ପୋଷାକ, ଶିକ୍ଷା ଓ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝି ଖୁସି ବ୍ୟକ୍ତ କରିଥିଲେ। ମାତ୍ର ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନ ଥିବା ମନ୍ତ୍ରୀ ବୁଝିବା ପରେ ନୂତନ ଗୃହ ନିର୍ମାଣ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ଏନେଇ ମନ୍ତ୍ରୀ ସତ୍ୟବାଦୀ ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା, ଜିଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର ଓ ସିଡିପିଓ ପ୍ରେମବାଳା ତ୍ରିପାଠୀଙ୍କ ସହ କେନ୍ଦ୍ର ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ସହାୟତା ରାଶି ଓ ସେମାନଙ୍କର ଅଭିବୃଦ୍ଧି ଦିଗରେ ପଚାରି ବୁଝିଥିଲେ।
ସୂଚନାଯୋଗ୍ୟ, ସତ୍ୟବାଦୀ ବ୍ଲକରେ ମୋଟ ୧୬୫ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିବା ବେଳେ ମାତ୍ର ୨୪ଟି କେନ୍ଦ୍ରର ନିଜସ୍ବ ଗୃହ ରହିଛି।