ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ମାଡ଼ ଘଟଣା : କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ଆନନ୍ଦପୁର,୬।୧୧(ସ୍ବ.ପ୍ର..): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଞ୍ଚାୟତ ଶିବନାରାୟଣପୁର ୧ନଂ. ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କ୍ଷୋଭ ପ୍ରକାଶ କରିବା ସହିତ ସଂପୃକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ଏପରିକି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ପାଇ ଆନନ୍ଦପୁର ପୋଲିସ ମଧ୍ୟ ତନାଘନା ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ଶିବନାରାୟଣପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଦୁଇ ଶିଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ାକୁ ନେଇ ଜଣେ ଶିଶୁଙ୍କ ଅଭିଭାବକ ଘଟଣାରେ ହସ୍ତକ୍ଷେପ କରିବା ସହିତ ଜୋରଜବରଦସ୍ତ କେନ୍ଦ୍ରକୁ ପ୍ରବେଶ କରି ଜଣେ କୋମଳମତି ଶିଶୁଙ୍କୁ ଓଲଟା ଲଟାକାଇ ମାଡ଼ପିଟ୍‌ ଓ ଧମକ ଚମକ ଦେଇଥିଲେ। ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଯାଇଥିଲା। ଏହାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂପୃକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଦିଦି ସୁବାସିନୀ ପ୍ରଧାନ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ୨୦୫/୧୯ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।