Categories: ରାଜ୍ୟ

ଅଙ୍ଗନଓ୍ବାଡି କର୍ମୀଙ୍କୁ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦ: ତାଳଚେର ସିଡିପିଓ ଅଫିସ ଘେରାଉ

ତାଳଚେର,୧୨।୬(ନି.ପ୍ର.): ତାଳଚେର ବ୍ଲକ ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ବୁଧବାର ତାଳଚେର ସିଡିପିଓଙ୍କ ଅଫିସ ଘେରାଉ କରାଯାଇଛି। ସିଡିପିଓ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦରେ ଏହା କରାଯାଇଛି।

ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଅଫିସରେ ପ୍ରୋଜେକ୍ଟ ମିଟିଙ୍ଗ ଚାଲିଥିଲା। ଏହି ସମୟରେ ଅଙ୍ଗରୁଆ ହରିଜନ ସାହି କେନ୍ଦ୍ରର କର୍ମୀ ପିଲାଙ୍କ ପରିବାର ଛତୁଆ ନେବାକୁ ଅମଙ୍ଗ ହେଉଥିବା କହିଥିଲେ। ଦିଆଯାଉଥିବା ଛତୁଆ ନିମ୍ନମାନର, ଏହାକୁ ଖାଇଲେ ପିଲାଙ୍କ ଦେହ ଖରାପ ହେଉଛି ବୋଲି ସେମାନେ ଅଭିଯୋଗ କରି ଏପରି କରୁଥିବା ପ୍ରକାଶ କରିଥିଲେ। ଏହାଶୁଣି ସିଡିପିଓ ଉତ୍ତେଜିତ ହେବା ସହ ଉକ୍ତ କର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କ ଚରିତ୍ରକୁ ଆକ୍ଷେପ କରିଥିଲେ। ଏଥିରେ ଅପମାନିତ ବୋଧ କରି ସମ୍ପୃକ୍ତ କର୍ମୀ ଏ ସମ୍ପର୍କରେ ସଂଘକୁ ଜଣାଇବା ସହ ତୁରନ୍ତ ବିଚାର ନ କଲେ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ଏଣୁ ଏହାକୁ ପ୍ରତିବାଦ କରି ବୁଧବାର ପୂର୍ବାହ୍ନରେ ତାଳଚେର ବ୍ଲକ ସଭାପତି ପୁଷ୍ପାଞ୍ଜଳି ସାହୁଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସିଡିପିଓଙ୍କ ଅଫିସ ଘେରାଉ କରାଯାଇଛି। ସିଡିପିଓଙ୍କ ତୁରନ୍ତ ବଦଳି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଖବରପାଇ ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ, ସହକାରୀ ଜିଲାପାଳ ଗୌରୀ ନାୟକ ପହଞ୍ଚି ଆନ୍ଦୋଳନକାରୀ ମହିଳାଙ୍କ ସହ ଆଲୋଚନା କରୁଛନ୍ତି।

Share