ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ଘେରାବନ୍ଦୀ କରାଯାଇ ନ ଥିବାରୁ ପାଠ ପଢ଼ିବାକୁ ଆସୁଥିବା ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏ ନେଇ ପଞ୍ଚାୟତ ସମିତି ବୈଠକରେ ଅଙ୍ଗନଓ୍ବାଡି କର୍ମୀ ସମସ୍ୟା ଉଠାଇଥିଲେ। ହେଲେ ଅଦ୍ୟାବଧି ଏହାର ସମାଧାନ ହେଉ ନ ଥିବା ଅଭିଯୋଗ ହୋଇଛି। ସରକାର ଛୋଟ ଛୋଟ ପିଲାଙ୍କ ସୁରକ୍ଷା କଥା ଚିନ୍ତା କରୁଥିବାବେଳେ ଗ୍ରାମାଞ୍ଚଳରେ ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଦିଲୀପ ସାହୁ କୁହନ୍ତି, ଏହା ତାଙ୍କ ନଜରକୁ ଆସିନାହିଁ। ଟ୍ରାନ୍ସଫର୍ମର ଚାରିପଟେ ପାଚେରି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯିବ। ସରପଞ୍ଚ ଅନସୂୟା ମହାନ୍ତି କୁହନ୍ତି, ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାନ୍ସଫର୍ମରକୁ ଘେରାବନ୍ଦୀ କରିବାକୁ ବିଦ୍ୟୁତ୍‌ ବିଭାଗକୁ କୁହାଯିବ।