ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍‌.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମା’ ଓ ଶିଶୁଙ୍କର ଉପଯୁକ୍ତ ଯତ୍ନ ଲାଗି ଗ୍ରହଣ କରାଯାଇଥିବା ଯୋଜନା କିଭଳି କର୍ଯ୍ୟକାରୀ ହେଉଛି ସେ ନେଇ ଶିଶୁ, ଅଭିଭାବକ, ଯାଞ୍ଚ ଓ ମାତୃ କମିଟି ସଭ୍ୟାସଭ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ଏହି ବ୍ଲକରେ ୧୬୫ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ମାତ୍ର ୨୩ କେନ୍ଦ୍ରର ନିଜସ୍ବ ଗୃହ ରହିଛି। ଗ୍ରାମ କୋଠଘର, କ୍ଲବ, ଭଡ଼ାଘର ଓ ବିଦ୍ୟାଳୟରେ ଅବଶିଷ୍ଟ କେନ୍ଦ୍ର ଚାଲିଛି। ଯୋଜନାର ସଫଳ ରୂପାୟନ ନିମନ୍ତେ ଭିତ୍ତିଭୂମିର ବିକାଶ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ସେ ବିଡିଓ ସରୋଜ କୁମାର ଦତ୍ତ ଓ ସିଡିପିଓ ପ୍ରମିଳା ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି। ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଉକ୍ତ ଅଧିକାରୀଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପ୍ରଥମେ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବଳପୁର, ପଣ୍ଡାସାହି, ପାରକେଣା, ବାଗଲପୁର ଅଙ୍ଗନଓ୍ବାଡି କେନ୍ଦ୍ର ଓ ଦୁଇଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ।

Share