ଅଙ୍ଗନୱାଡ଼ି ଶିଶୁଙ୍କ ଜଳଖିଆରେ ପୋକ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଶନିବାର ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବାରୁ ଉତ୍ତେଜନା ଦେଖାଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ, ଅଭିଭାବକ କେନ୍ଦ୍ର ସମ୍ମୁଖରେ ହୋହଲ୍ଲା କରିଥିଲେ। ଜଳଖିଆ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବହିଷ୍କାର କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ଏହି ଗ୍ରାମର ମାତୃଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କ ଜଳଖିଆ ଦେବା ଦାୟିତ୍ୱ ନେଇଛି। ଶନିବାର ଗୋଷ୍ଠୀର ସଭାନେତ୍ରୀ ମୌସୁମୀ ମଲିକ କେନ୍ଦ୍ରର ଶିଶୁମାନଙ୍କୁ ମୁଢ଼ିମୁହାଁ ଜଳଖିଆ ଦେଇଥିଲେ। ଏହି ଜଳଖିଆକୁ ଗ୍ରାମର ହରିହର ଗିରି ନାମକ ବ୍ୟକ୍ତି ସଭାନେତ୍ରୀଙ୍କଠାରୁ ନେଇ ସେଥିରେ ପୋକ ସାଲୁବାଲୁ ହେଉଥିବା ଦେଖିଥିଲେ। ଅପରପକ୍ଷରେ ମୁଢ଼ିମୁହାଁ ଖାଇ ୨ରୁ ୩ ଜଣ ଶିଶୁ ବାନ୍ତି କରିବାରୁ ସେମାନଙ୍କୁ ଘରୋଇ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିବା ଅରୁଣ ଦାସ, ଶ୍ରୀକାନ୍ତ ଦାସ, ଚାଲକା ଦାସ ପ୍ରମୁଖ କହିଛନ୍ତି। ନିମ୍ନମାନର ଜଳଖିଆ ଦିଆଯାଉଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ରାଧାମଣି ଦାସ, ମମତାମଣି ଦାସ, ତାରାମଣି ଦାସ, ବନମାଳୀ ଦାସ, ବଉଳମଣି ଦାସ, ମେଣ୍ଢୁ ଗିରି ପ୍ରମୁଖ କେନ୍ଦ୍ରରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଅଙ୍ଗନୱାଡ଼ି କର୍ମୀ ଜଳଖିଆ ତଦାରଖ ନ କରି ଶିଶୁଙ୍କୁ କାହଁିକି ଖାଇବା ପାଇଁ ଦେଲେ ବୋଲି ଗ୍ରାମବାସୀ କୈଫୟତ ମାଗିଥିଲେ। ମହିଳାଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ବିଡ଼ିଓ ଓ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୯ ତାରିଖରୁ ତାଲା ବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

Share