Categories: ମେଟ୍ରୋ

ଅଙ୍ଗାରରେ ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ପ୍ରକୃତିର ବାସ୍ତବତାକୁ କାନ୍‌ଭାସରେ ରୂପ ଦେଇ ମନର ଭାବାବେଗ ଓ ସୃଜନଶୀଳତାକୁ ଜୀବନ୍ତ ପ୍ରତିଛବିର ରୂପ ଦେଇଥାଆନ୍ତି ଯୁବ ଚିତ୍ରଶିଳ୍ପୀ ଶୁଭମୟ ବିଶ୍ୱାଳ। କେତେବେଳେ ରଙ୍ଗ ସହିତ କାନ୍‌ଭାସ ତ ପୁଣି କେତେବେଳେ କାନ୍‌ଭାସ ସହିତ ଅଙ୍ଗାରରେ ମନର ଭାବକୁ ପରିପ୍ରକାଶ କରିଥାଆନ୍ତି। ଅଙ୍ଗାରରେ ଚିତ୍ର ଆଙ୍କି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶୁଭମୟ ଆଗାମୀ ଦିନରେ ଏହି କଳା ମାଧ୍ୟମରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
ଯାଜପୁର ଜିଲା ଦଶରଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମର ଶୁଭମୟ ପିଲାଦିନୁ ଚିତ୍ରକଳା ପ୍ରତି ମନ ବଳାଇଥିଲେ। ଚିତ୍ରକଳାକୁ କେବେ ପେଶା କରିବେ ବୋଲି ଭାବି ନ ଥିବା ଏହି ଯୁବ ଚିତ୍ରଶିଳ୍ପୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ପରେ ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଚିତ୍ରକଳାରେ ଶିକ୍ଷାଗ୍ରହଣ କରିଥିଲେ। ଏହାପରେ ନିଜ ଚିତ୍ରକଳା ମାଧ୍ୟମରେ କିଛି ନା କିଛି ସାମାଜିକ ବାର୍ତ୍ତା ଦେବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ। ଗୋ ଚାଲାଣ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ସେ ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରଥମେ ଫଟୋ ଉଠାଇବା ପରେ ତାହାକୁ ଦେଖି କାନ୍‌ଭାସ, କଲର ଓ ଅଙ୍ଗାର ଦ୍ୱାରା ତା’ର ପ୍ରତିଛବି ଆଙ୍କିଥାଆନ୍ତି, ଯାହାକି ତାଙ୍କର ସ୍ବତନ୍ତ୍ରତା। ୨୦୧୫ରେ ଓଏସିଏସ୍‌ ତରଫରୁ ସମ୍ମାନିତ ହେବା ସହ ବମ୍ବେରେ ଅନୁଷ୍ଠିତ ସୌର ଆର୍ଟ ଗ୍ୟାଲେରି ତରଫରୁ ସମ୍ମାନିତ ହୋଇଥିଲେ। ଏହାସହ ୨୦୧୮ରେ ଲଳିତ କଳା ଏକାଡେମୀ ରାଜ୍ୟ ଓ ଜାତୀୟସ୍ତରୀୟ ଚିତ୍ରକଳା ଶିବିରରେ ଶ୍ରେଷ୍ଠ ଯୁବ ଚିତ୍ରଶିଳ୍ପୀ ଭାବେ ସମ୍ମାନିତ ହୋଇଥିଲେ। ଏକାଧିକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିବା ଶୁଭମୟ ଆସନ୍ତା ୨୦୨୦ ମସିହାରେ ଦିଲ୍ଲୀରେ ଏକ ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ବର୍ତ୍ତମାନ ସେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ଥିବା ଏକ ଛୋଟ ଷ୍ଟୁଡିଓରେ ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତ ହେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଆରା ଚିତ୍ରକଳା ଦ୍ୱାରା ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ଚିତ୍ରକଳା ନୁହେଁ, କାବ୍ୟ, କବିତା, କ୍ଷୁଦ୍ରଗଳ୍ପ ଲେଖିବାରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି।

Share