ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ତହସିଲଦାର, ଏଡିଡବ୍ଲ୍ୟୁଓ

ଚମ୍ପୁଆ, ୩୧।୭(ଡି.ଏନ.ଏ.): ଚମ୍ପୁଆ ବ୍ଲକର ବିଭିନ୍ନ ଆଶ୍ରମ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରଛନ୍ତି। ବିଦ୍ୟାଳୟରେ ସୁରକ୍ଷା, ରନ୍ଧା ହେଉଥିବା ଖାଦ୍ୟ, ଛାତ୍ରୀ ନିବାସ ଓ ପାଠପଢାକୁ ଯାଞ୍ଚ କରିଥିବା ଜଣାଯାଇଛି। ଆଶ୍ରମ ବିଦ୍ୟାଳୟ ଗୁଡିକରେ ଘଟୁଥିବା ଅଘଟଣକୁ ନେଇ ସରକାର ଚିନ୍ତିତ ରହିଥିବା ବେଳେ ଏହି ସବୁ ଯାଞ୍ଚ ହୋଇଥିବା ଜଣାପଡିଛି। ଖବର ଅନୁସାରେ ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ବିଜୟ କୁମାର ଗିରି ଚମ୍ପୁଆ ବ୍ଲକରେ ଥିବା ରଜିଆ ପ୍ରାଇମେରି ଛାତ୍ରାବାସ, ରଜିଆ ଆଦିବାସୀ ଛାତ୍ରୀ ନିବାସ, କାଳିକାପ୍ରସାଦ ଆଦିବାସୀ ଛାତ୍ରୀ ନିବାସ, ରିମୁଳି, ରାମଲା ଏବଂ ଅନ୍ବେଶା ଛାତ୍ର ନିବାସ ଆଦି ପରିଦର୍ଶନ କରି ବିଦ୍ୟାଳୟର ସଫା ସୁତରା, ପାନୀୟ ଜଳ, ଛାତ୍ରଛାତ୍ରୀମାନେ ରହୁଥିବା ହଷ୍ଟେଲ ଘର, ରନ୍ଧା ଯାଉଥିବା ଖାଦ୍ୟର ମାନ, ପାଠପଢା ସହିତ ବିଦ୍ୟାଳୟ ଓ ଛାତ୍ରୀ ନିବାସର ସୁରକ୍ଷା ଉପରେ ଯାଞ୍ଚ କରିଥିଲେ। ଉପରୋକ୍ତ ଆଶ୍ରମ ଛାତ୍ର ଓ ଛାତ୍ରୀ ନିବାସ ମଧ୍ୟରେ ରିମୁଳି ଆଦିବାସୀ ଛାତ୍ରୀ ନିବାସ ଭଲ ଥିବା ବିଜୟ ଗିରି ସୂଚନା ଦେଇଥିଲେ। ତେବେ ଅନ୍ୟ ଛାତ୍ରାବାସ ଓ ଛାତ୍ରୀ ନିବାସ ଗୁଡିକରେ ଦେଖାଦେଇଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।