ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ। ଜୈନା ସ୍କ୍ରେଡ ନାମକ ଜଣେ ଯୁବତୀଙ୍କ ବ୍ରେନ ସର୍ଜରୀର ଦୃଶ୍ୟ ଡାକ୍ତରମାନେ କେବଳ ଭିଡିଓ ନୁହେଁ ବରଂ ଫେସ୍‌ବୁକରେ ଲାଇଭ କରିଥିଲେ। ଏହି ଭିଡିଓରେ ଜୈନା ଡାକ୍ତରଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜୈନାଙ୍କ ବ୍ରେନର ରକ୍ତବାହୀ ନଳୀରେ ଥିବା ସମସ୍ୟାକୁ ଠିକ୍‌ କରିବା ପାଇଁ ଏହି ସର୍ଜରୀ କରାଯାଇଥିଲା। ତେବେ ସର୍ଜରୀ ସମୟରେ ମସ୍ତିଷ୍କରେ କୌଣସି ଅସୁବିଧା ନ ଉପୁଜିବା ପାଇଁ ଡାକ୍ତର ଜୈନାଙ୍କ ସହ କଥାବାର୍ତ୍ତା କରିଥିଲେ। କାରଣ ସର୍ଜରୀ ସମୟରେ ଯଦି କିଛି ବି ଭୁଲ ହୋଇଯାଇଥାନ୍ତା, ତେବେ ଯୁବତୀ ଜଣଙ୍କ ଜୀବନ ସାରା ଆଉ କଥା କହି ପାରି ନ ଥାନ୍ତେ। ଅନ୍ୟପଟେ ଏନେଇ ଜଣେ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଭଳି ଅପରେଶନ୍‌ ସମୟରେ ରୋଗୀଙ୍କ ସହ ଲଗାତର ଡାକ୍ତର କଥା କରିବା ଉଚିତ, ଯେପରି ରୋଗୀଙ୍କ ସହ କୌଣସି ଭୁଲ ନ ହୁଏ। ତେବେ ଏହି ଭିଡିଓକୁ ଦେଖି ଅନ୍ୟମାନଙ୍କୁ ବି ସର୍ଜରୀରେ ସାହାଯ୍ୟ ମିଳିପାରିବ ବୋଲି ଜୈନା କହିଛନ୍ତି। ଏହି ଲାଇଭ ସର୍ଜରୀକୁ ୨୩୦୦ରୁ ଊର୍ଦ୍ଧ୍ୱ ଲୋକ ଫେସବୁକ୍‌ରେ ଦେଖିସାରିଥିବା ବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Share