ଅଛୁଆଁ ଦିଅଁକୁ ଆଜି ଦର୍ଶନ କରିବେ ଭକ୍ତ

ରାଜନଗର,୪ା୭(ଡି.ଏନ୍‌.ଏ.) : ରାଜନଗର ଉପକୂଳ ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଜଗନ୍ନାଥ ଧାମ ଭାବେ ସୁଖ୍ୟାତି ଅର୍ଜନ କରିଆସିଥିବା ୫ ଶହ ବର୍ଷର ସର୍ବ ପୁରାତନ କେରଡ଼ାଗଡ଼ର ଶ୍ରୀ ଜଗନ୍ନାଥ ଆଜି ପରମ୍ପରା ଅନୁସାରେ ବଡ଼ଦାଣ୍ଡକୁ ଓହ୍ଲାଇବେ। ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରକାଶଥାଉ କି, ୨୦୦୬ ମସିହାରେ କେରଡ଼ାଗଡ଼ ଅଞ୍ଚଳର କେତେକ ଅସବର୍ଣ୍ଣ ମହିଳା କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହାକୁ ବଡ଼ପଣ୍ଡା ଓ ସେବାୟତମାନେ ବିରୋଧ କରି ଠାକୁରଙ୍କୁ ୧୫ ଦିନ ଅପୂଜା ରଖିଥିଲେ। ତତ୍‌କାଳୀନ କନିକା ରାଜା ରବିନାରାୟଣ ଭଞ୍ଜଦେଓ, କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ଶତୃଘ୍ନ ପରିଡ଼ା ହସ୍ତକ୍ଷେପ କରି ମନ୍ଦିର ମଧ୍ୟକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ସିଂହଦ୍ୱାର ବାହାରେ ଭକ୍ତମାନେ ଦିଅଁକୁ ଦର୍ଶନ କରନ୍ତି। ରଥଯାତ୍ରା ଉପଲକ୍ଷେ ଆଜି ଅଛୁଆଁ ଦିଅଁ ଦେଉଳରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ।