ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଜାରି

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଇପାସ ଛକ ହୋଣ୍ଡା ସୋ’ରୁମ ନିକଟସ୍ଥ ରାସ୍ତାକଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ମୃତକଙ୍କ ପକେଟରୁ ୩୧୦ଟଙ୍କା ଓ ଏକ ସାଇକେଲ ଚାବିକାଠି ସହ ଏକ ପଲିଥିନରେ ଜଳଖିଆ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି। ଅପରପକ୍ଷରେ ଶୁକ୍ରବାର ସାପ୍ତାହିକ ହାଟରେ ମଦ୍ୟପାନ କରି ଉକ୍ତ ଯୁବକ ବାଇପାସ ଛକରେ ବୁଲୁଥିବାର ଦେଖିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।