ଅଜଣା ରୋଗରେ ଛାତ୍ର ଆକ୍ରାନ୍ତ

ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଛାତ୍ର ଜଣକୁ ଡାକ୍ତରଖାନା ନେବାକୁ ରାଜି ହେଉ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସା ପରିବର୍ତ୍ତେ ଘରେ ଝଡାଫୁଙ୍କା କରୁଛନ୍ତି। ଏପରି ସ୍ଥିତିରେ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଡମୁଗୁଡାରେ ଦେଖିବାକୁ ମିଳିଛି।
ଡମୁଗୁଡାର ଯଦୁ ମୁଦୁଲି । ବୟସ ମାତ୍ର ୭ ବର୍ଷ । କେଶବଗୁଡା ସ୍କୁଲ ଯାଇ ପାଠ ପଢୁଥିଲେ। ଗତ ୨୧ ତାରିଖରେ ଯଦୁଙ୍କୁ ଜ୍ୱର ହୋଇଥିଲା । ତାପରେ ହାତ ଗୋଡ଼ କାମ କଲାନି। ପରିବାର ଲୋକେ ନିକଟସ୍ଥ ମେଡିକାଲ ନେଇଥିଲେ। ପରେ ନବରଙ୍ଗପୁର ଓ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଅଧିକା ଚିକିତ୍ସା ଲାଗି ବ୍ରହ୍ମପୁର ନେବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରିବାର ଲୋକ ଯଦୁୁଙ୍କୁ ଘରକୁ ଲୁଚାଇ ନେଇ ଆସିଥିଲେ। ବର୍ତ୍ତମାନ ଯଦୁର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ସହ ପାଟି ପଡିଯାଇଛି। ସେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଘରେ ଗୁଣିଆ ଡକାଇ ଝଡା ଫୁଙ୍କା ଚଳାଇଛନ୍ତି । ଖବର ପାଇ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଡମୁଗୁଡା ଯାଇ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ମେଡିକାଲ ନେବାକୁ ବାପା ମିଟୁ ମୁଦୁଲି ରାଜି ହୋଇନଥିଲେ । ପରେ ଭ୍ରାମ୍ୟମାନ ଗାଡିର ଡାକ୍ତରୀ ଦଳ ଯାଇ ଯଦୁଙ୍କୁ ଡାକ୍ତରଖାନା ନେବା ପାଇଁ ମିଟୁ ଓ ପରିବାରଙ୍କୁ ବୁଝାଇ ଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ମିଟୁଙ୍କ ଉଚ୍ଚ ଚିକିତ୍ସାର ଆବଶ୍ୟକତା ଥିବାରୁ ପ୍ରଶାସନ ତରଫରୁ ମିଟୁଙ୍କ ପରିବାରକୁ ବୁଝାଇ ଚିକିତ୍ସା କରାଇବା ଆଶ୍ୟକତା ରହିଛି ।

Share