ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୫ଶହରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିଛନ୍ତି।
ରୋଗରେ ଆକ୍ରାନ୍ତ ଗୋରୁଙ୍କ ଗୋଡ଼, ମୁହଁ ପ୍ରଥମେ ଫୁଲିଯାଉଛି । ବିଭିନ୍ନ ସ୍ଥାନ କ୍ଷତ ହୋଇ ଘା ହୋଇଯାଉଛି । ପରେ ଗାଈଗୋରୁ ମାନ୍ଦା ହୋଇ ଅଚେତ ହେଲା ପରି ରହୁଛନ୍ତି। କେତେକ ମରିଯାଉଥିବାବେଳେ ଆଉ କିଛି ଚିକିତ୍ସା ପରେ ଭଲ ହୋଇଯାଉଛନ୍ତି । ରଣପୁର ସହରର ପାମ୍ପଡା ଓ ହଂସରାରେ ଅଜଣା ରୋଗରେ ସର୍ବାଧିକ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ରଣପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଜଗଦୀଶ ମିଶ୍ର କୁହନ୍ତି, ଗୋରୁମାନେ ଆକ୍ରାନ୍ତ ହେବା ଜାଣିଲା ପରେ ଚିକିତ୍ସାକୁ ତ୍ୱରାନ୍ବିତ କରିଛୁ । ରୋଗ ନିୟନ୍ତ୍ରଣାଧୀନ ରହିଛି। ଏହା ଏକ ଭୂତାଣୁଜନିତ ରୋଗ ବୋଲି ଡ. ମିଶ୍ର କହିଛନ୍ତି।