Categories: ଫୁରସତ

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ ପକ୍ଷୀଙ୍କର ନ ଥିଲା, ଥିଲା ବରଫର ଅଣ୍ଡା। ଏଠାକାର ହୈଏକ୍‌ ଲୁଓତୋ ଦ୍ୱୀପର ମଜିନେମି ଉପକୂଳରେ ସେମାନେ ବରଫର ଅଣ୍ଡା ଦେଖିବାକୁ ପାଇଥିଲେ। ଦମ୍ପତିଙ୍କ କହିବା ଅନୁସାରେ, ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଏପରି ଅଣ୍ଡା ପଡ଼ିଥିବା ଦେଖିଥିଲେ।


ରିସ୍ତୋ ମତିଲା ସ୍ବାମୀଙ୍କ ସହ ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିଲେ। ସମୁଦ୍ରକୂଳରେ ଏହି ବରଫ ଅଣ୍ଡାର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସବୁଠୁ ବଡ଼ ଅଣ୍ଡାଟି ଫୁଟ୍‌ବଲ ସଦୃଶ ଥିଲା। ଏହି ଘଟଣା ଦେଖିବା ପରେ ଫିନ୍‌ଲ୍ୟାଣ୍ଡ୍‌ର ପାଣିପାଗ ବିଶେଷଜ୍ଞ ଜୋନି ବେନିୟୋ କୁହନ୍ତି, ଏହା ସାମାନ୍ୟ ଘଟଣା ନୁହେଁ, ବେଶ୍‌ ଚିନ୍ତାର ବିଷୟ। ସେ କୁହନ୍ତି, ପାଗ ପରିବର୍ତ୍ତନ ହେଲେ ଏମିତି  ଘଟିଥାଏ। ଯେତେବେଳେ ପାଣି ଏବଂ ପବନର ତାପମାତ୍ରା ଠିକ୍‌ ଥାଏ ସେତେବେଳେ ଏପରି ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚ ମାସରେ ଗଛରୁ ପତ୍ରଝଡ଼ା ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ।


ସେହିପରି ଇଲିନୋଇସ୍‌ ଷ୍ଟେଟ୍‌ ୟୁନିଭର୍‌ସିଟିର ଭୂ-ବିଜ୍ଞାନ ପ୍ରଫେସର ଡ. ଜେମ୍‌ସ କାର୍ଟର କୁହନ୍ତି, ପତ୍ରଝଡ଼ା ସମୟରେ ଯେତେବେଳେ ପାଣି ବରଫ ହେବା ଆରମ୍ଭ କରେ ଲହଡ଼ି ଆସି ବରଫ ଏପରି ଅଣ୍ଡା ସଦୃଶ ଦେଖାଯାଇଥାଏ।

Share