Categories: ଫୁରସତ

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ କେହି କେହି କଫିର ସାହାଯ୍ୟ ନେଇଥାନ୍ତି। ତେବେ ଅନେକ ସମୟରେ କଫି ପିଇବାକୁ ପସନ୍ଦ କରୁଥିବା ଲୋକେ ଏହି ପାନୀୟକୁ ଯେତେ ଆନନ୍ଦରେ ପିଇଥାନ୍ତି, ଠିକ୍‌ ସେମିତି ମାର୍କେଟ୍‌କୁ କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ର କଫି ମଗ୍‌ ଆସିଛି, ସେ ଅନୁସନ୍ଧାନରେ ବି ରହିଥାନ୍ତି। ତେବେ ଏଠାରେ ସେମିତି କିଛି ଅଜବ ଡିଜାଇନ୍‌ର କଫି ମଗ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଥିରେ କଫି ପିଇଲେ ଆନନ୍ଦ ଲାଗିବା ସହ ଟିକେ ନିଆରା ଅନୁଭୂତି ମିଳିବ…

ଟ୍ରାନ୍ସପରେଣ୍ଟ କଫି ମଗ୍‌: ଏହି କୁଲ୍‌ କଫି ମଗ୍‌ର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେ, ଆପଣ ସେହି କଫି ମଗ୍‌ରେ କ’ଣ ପିଉଛନ୍ତି ତାହା ଅନ୍ୟ ଜଣେ ଦୂରରେ ଥାଇ ବି ଖୁବ୍‌ ଭଲ ଭାବେ ଜାଣିପାରିବେ। କାରଣ ଏହି କଫି ମଗ୍‌ଟି ଟ୍ରାନ୍ସପରେଣ୍ଟ କାଚରେ ତିଆରି ହୋଇଥାଏ।

ବିସ୍କୁଟ୍‌ ହୋଲ୍ଡର କଫି ମଗ୍‌: ଏହି କଫି ମଗ୍‌ର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେ, ଯେଉଁଥିରେ ଏକକାଳୀନ ବିସ୍କୁଟ ଓ କଫିକୁ ରଖିହେବ। ସେ ପୁଣି ଅଲଗା ଅଲଗା। ଏହି ଲାଟେଷ୍ଟ ଡିଜାଇନ୍‌ର କଫି ମଗ୍‌ ଦେଖିବାକୁ ଯେମିତି ଆଟ୍ରାକ୍ଟିଭ୍‌ ଲାଗିଥାଏ, ଏଥିରେ କଫି ପିଇଲେ ବି ଟିକେ ନିଆରା ଫିଲ୍‌ ହୋଇଥାଏ। ଏଥିରେ ଏକକାଳୀନ କଫି ପିଇବା ସହ ବିସ୍କୁଟ୍‌ ଖାଇବାକୁ ବି ସୁବିଧା ହୁଏ।

ରାଗ ଅଭିମାନ କମାଇବ କଫି ମଗ୍‌: କଫି ମଗ୍‌ ପୁଣି କାହାର ରାଗ ଅଭିମାନ କମାଇବ ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା! ହେଲେ ଏହା ସତ। କାରଣ ଏହି କଫି ମଗ୍‌ରେ ଏକ ସ୍ବତନ୍ତ୍ର ମେସେଜ୍‌ ଲେଖାଥାଏ, ଯାହାକୁ ପଢ଼ିଲେ ରାଗିଥିବା ଲୋକର ରାଗ କମିଯାଇ ଓଠରେ ହସ ଭରିଯାଏ।

ଗଲ୍‌ଫ ମଗ୍‌: ଗଲ୍‌ଫ ଖେଳିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ସେମାନଙ୍କ ପାଇଁ ଏମିତି ଏକ ମଗ୍‌ ଆସିଗଲାଣି, ଯେଉଁଥିରେ କଫି ପିଇବାର ମଜା ନେବା ସହ ତାକୁ ଟେବୁଲ୍‌ ଉପରେ ଥୋଇ ସେମାନେ ସେଥିରେ ଗଲ୍‌ଫ ବି ଖେଳିପାରିବେ।

ସ୍ମାଇଲିଂ କଫି ମଗ୍‌ : ସ୍ମାଇଲିଂ ବା ହସ ହସ ମୁହଁର ଚିତ୍ର ଥିବା କଲରଫୁଲ୍‌ ମଗ୍‌ରେ କଫି ପିଇଲେ ରିଲାକ୍ସ ଫିଲ୍‌ ହେବା ସହ ମନ ବି ପ୍ରଫୁଲ୍ଲ ରହିଥାଏ। ସେଥିପାଇଁ ଏବେ ଏହି ଷ୍ଟାଇଲ କଫି ମଗ୍‌ର ଭଲ ଡିମାଣ୍ଡ ରହୁଥିବା ଦେଖିବାକୁ ମିଳୁଛି।

ନିନ୍‌ଜା କଫି ମଗ୍‌: ନିନ୍‌ଜା ମାସ୍କ ଲାଗିଥିବା ଏହି କଫି ମଗ୍‌ କେବଳ ବୟସ୍କ ନୁହେଁ, ଛୋଟ ଛୋଟ ପିଲାମାନଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ। ବୟସ୍କମାନେ ଏଥିରେ କଫି ପିଉଥିବା ବେଳେ ପିଲାମାନେ ଏଥିରେ କ୍ଷୀର ଓ ହର୍ଲିକ୍ସ ପିଉଥିବାର ଦେଖିବାକୁ ମିଳେ।

ଆପେଆପେ କଫି ଫେଣ୍ଟି ହେଉଥିବା ମଗ୍‌ : ଏହି କଫି ମଗ୍‌ରେ ଏକ ସ୍ବତନ୍ତ୍ର ସୁଇଚ୍‌ ରହିବା ସହ ମଗ୍‌ର ତଳଭାଗରେ କଭର ହୋଇକି ବ୍ୟାଟେରୀ ବି ଥାଏ। ଯଦ୍ୱାରା ଏହି ମଗ୍‌ରେ କଫି ଓ କ୍ଷୀରକୁ ପକାଇ ସୁଇଚ୍‌ ଟିପିଦେଲେ ଏହା ଆପେଆପେ ଫେଣ୍ଟିହୋଇ କଫି ପ୍ରସ୍ତୁତ ହୋଇଯାଏ।

Share