ଅଜବ ଚୋର:ନୂଆ ମୋବାଇଲ ଚୋରି କରି ଛାଡିଗଲେ ପୁରୁଣା

ଚେନ୍ନାଇ, ୧୮।୧୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋର ପୋଲିସ ହାତରେ ଧରାପଡିଛନ୍ତି। ଚେନ୍ନାଇର ତୋନ୍ଦିୟରପେଟ ଅଞ୍ଚଳରେ ଏକ ମୋବାଇଲ ଦୋକାନରେ ଜଣେ ଚୋର ଗୋଟିଏ ନୂଆ ମୋବାଇଲ ଚୋରି ସଫଳ ରହିଥିଲେ। କିନ୍ତୁ ଚୋରି ପରେ ଦୋକାନରୁ ଶୀଘ୍ର ପଳାଇବା ଚକ୍କରରେ ସେ ନିଜ ପୁରୁଣା ଫୋନଟି ଦୋକାନରେ ଛାଡିଯାଇଥିଲେ। ଫଳରେ ପୋଲିସଙ୍କୁ ଚୋର ଧରିବାରେ ସହଜ ହୋଇଥିଲା। ପୋଲିସ ମୁତାବକ, ତୋନ୍ଦିୟରପେଟ ନିବାସୀ ଜାନକିରମନଙ୍କ ଏକ ମୋବାଇଲ ଦୋକାନ ଅଛି। ଏହି ମୋବାଇଲ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିଲା। ଦୋକାନ ଘରୁ ଭଙ୍ଗାରୁଜା ଶବ୍ଦ ଆସିବାରୁ ପାଖ ଲୋକ ଜାନକିରମନଙ୍କୁ ଖବର ଦେଇଥିଲେ। ସେ ଦୋକାନରେ ତୁରନ୍ତ ପହଞ୍ଚିଥିଲେ। ନୂଆ ମୋବାଇଲ୍‌ ଦୋକାନରୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଚଟାଣରେ ଏକ ପୁରୁଣା ମୋବାଇଲ ଦେଖି ସେ ପୋଲିସକୁ ଜଣାଇଥିଲେ। ସବୁଠୁ ରୋଚକ କଥା ହେଉଛି, ଚୋରଟି କ୍ୟାସ୍‌ ବକ୍ସରେ ଥିବା ଟଙ୍କା ନେଇ ନ ଥିଲେ। ପୋଲିସ ଉକ୍ତ ଫୋନରୁ ଚୋର ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।

Share