ବିଶ୍ୱରେ ଅନେକ ଉତ୍ସବ ବା ମହୋତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ଧର୍ମରେ ଉତ୍ସବ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ସାଧାରଣତଃ ଉତ୍ସବରେ ଲୋକେ ନୂଆ ବସ୍ତ୍ର, ଅଳଙ୍କାର ପିନ୍ଧି ସୁସ୍ବାଦୁ ବ୍ୟଞ୍ଜନର ଆୟୋଜନ କରିଥାନ୍ତି। ଅଧିକାଂଶ ସ୍ଥାନର ନାଚଗୀତର ଆସର ବି ଜମେ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଏମିତି ଉତ୍ସବ, ଯେଉଁଥିରେ ଲୋକେ ଭୂତ ପ୍ରେତ ପରି ପୋଷାକ ପିନ୍ଧିଥାନ୍ତି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ।
ଏକ ରିପୋର୍ଟ ଅନୁଯାୟୀ, ଏପରି ଉତ୍ସବ ମେକ୍ସିକୋରେ ପ୍ରତିବର୍ଷ ଆୟୋଜନ କରାଯାଇଥାଏ। ‘ଡେ ଅଫ୍ ଦ ଡେଡ୍’ ନାମକ ଏହି ଉତ୍ସବ ଦୁଇଦିନ ଧରି ଚାଲିଥାଏ। ଯାହା ଆଜି ଅର୍ଥାତ୍ ଶନିବାର ଆରମ୍ଭ ହୋଇଛି। ପ୍ରାୟ ୨ ହଜାର ବର୍ଷ ତଳୁ ଏହି ଉତ୍ସବ ପାଳନ କରାଯାଇଆସୁଛି। ଏଠାକାର ଲୋକେ ବିଶ୍ୱାସ କରନ୍ତି, ତାଙ୍କର ପୂର୍ବପୁରୁଷମାନେ ପରିବାର ଲୋକଙ୍କ ସହ ଗୋଟିଏ ଦିନ ରହିବାକୁ ଏହିଦିନ ମର୍ତ୍ତ୍ୟକୁ ଆସିଥାନ୍ତି। ତାଙ୍କର ଆତ୍ମା ଶାନ୍ତି ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ। ଆଉ ଏକ ଖାସ୍ କଥା ହେଲା ଏହି ଉତ୍ସବରେ ପରେଡ୍ ହୋଇଥାଏ। ପରେଡେ୍ରେ ପୋଲିସ ପ୍ରଶାସନ ଭାଗ ନେଇ ନ ଥାନ୍ତି। ଏଥିରେ କଙ୍କାଳ ପରି ବେଶଭୂଷାରେ ସଜ୍ଜିତ ହୋଇଥା’ନ୍ତି ଲୋକେ। ଏହି ପରେଡ୍କୁ କ୍ୟାଟ୍ରିନା କୁହାଯାଏ। ମେକ୍ସିକୋ ସହରର ଟାଲାହୁଆକ୍ ରାସ୍ତାରେ ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଯେଉଁଥିରେ ଭୂତ ପ୍ରେତଙ୍କ କଙ୍କାଳ ପରି ପୋଷାକ ପିନ୍ଧି ଉତ୍ସବ ମନାଇଥାନ୍ତି ସହରବାସୀ।