ଅଜୟଙ୍କୁ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲରେ ‘ଜଗଦୀଶ ଜୟନ୍ତୀ’ ପାଳିିତ ହୋଇଯାଇଛି। କଥାକାର ଡ. ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ବିଶିଷ୍ଟ ଲେଖକ ତଥା ଅନୁବାଦକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଟ୍ରଷ୍ଟର ସମ୍ପାଦକ ସରୋଜ ବଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ଅଜୟ ସ୍ବାଇଁଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ଯୁବ ଳେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗାଳ୍ପିକ ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାପରେ ଜଗଦୀଶ ମହାନ୍ତିଙ୍କ ଏକ ବହୁ ଚର୍ଚ୍ଚିତ ଗଳ୍ପ ‘ନିର୍ବାସନରେ ଗୋଟେ କବି’ର ନାଟକୀୟ ଉପସ୍ଥାପନା କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର, ବେଦପ୍ରକାଶ ନାୟକ ଏବଂ ଲୋପାମୁଦ୍ରା ବାରିକ। କାର୍ଯ୍ୟକ୍ରମରେ ବହୁ ଲେଖକ, ପ୍ରକାଶକ, ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ।

Share